ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଭତ୍ତା ବୃଦ୍ଧ

ନୂଆଦିଲ୍ଲୀ : ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ପାଇଁ ଏକ ଶୁଭ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କ ଭତ୍ତା ବୃଦ୍ଧି କରିଛନ୍ତି । ଆସନ୍ତା ମାସରୁ ଏହି ବର୍ଦ୍ଧିତ ହାର ଲାଗୁ ହେବ । ଏହାଛଡ଼ା ସମସ୍ତ ଆଶାକର୍ମୀଙ୍କୁ ବୀମାଭୁକ୍ତ କରାଯିବ । ପ୍ରଧାନମନ୍ତ୍ରୀ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ଦେଶର ଲକ୍ଷାଧିକ ଆଶା, ଏଏନ୍ଏମ୍ ଓ ଅଙ୍ଗନୱାଡି କର୍ମୀଙ୍କ ସହ ମତ ବିନିମୟ କରିବା ବେଳେ ଏହି ଘୋଷଣା କରିଛନ୍ତି । ଏହା ସେମାନଙ୍କ ପାଇଁ ଦୀପାବଳୀ ଉପହାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଯେଉଁମାନେ ୩୦୦୦ ଟଙ୍କା ଭତ୍ତା ପାଉଥିଲେ ସେମାନେ ଏଣିକି ୪୫୦୦ ଟଙ୍କା ପାଇବେ । ଯେଉଁମାନେ ୨୨୦୦ ଟଙ୍କା ପାଉଥିଲେ ସେମାନଙ୍କୁ ୩୫୦୦ ଟଙ୍କା ମିଳିବ । ଅଙ୍ଗନୱାଡି ସହାୟିକାଙ୍କ ପାରିତୋଷିକ ୧୫୦୦ ଟଙ୍କାରୁ ୨୫୦୦ ଟଙ୍କାକୁ ବୃଦ୍ଧି ପାଇବ । ଏଥିସହିତ ସମସ୍ତ ଆଶାକର୍ମୀଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ଏଥିପାଇଁ ସେମାନଙ୍କୁ କୌଣସି ଦେୟ ପଡ଼ିବ ନାହିଁ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ କମନ ଆପ୍ଲିକେସନ ସଫ୍ଟୱେର (ଆଇସିଡିଏସସିଏଏସ) ବ୍ୟବହାର କରୁଥିବା ଅଙ୍ଗନୱାଡି କର୍ମୀ ଏବଂ ସହାୟିକାମାନଙ୍କୁ ଅତିରିକ୍ତ ଭତ୍ତା ପ୍ରଦାନ କରାଯିବ । ଏହି ଭତ୍ତା ୨୫୦ରୁ ୫୦୦ଟଙ୍କା ମଧ୍ୟରେ ହେବ ଏବଂ ଏହା ପ୍ରଦର୍ଶନ ଭିତ୍ତିକ ହେବ । ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିୟମିତ ଭାବେ ଭତ୍ତା ମିଳୁଛି ।

ରାଜ୍ୟ ସରକାର ମଧ୍ୟ ସେମାନଙ୍କୁ ଅଲଗା ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି । ଦେଶରେ ଆଶା ଓ ଅଙ୍ଗନୱାଡି କର୍ମୀମାନେ ସ୍ୱାସ୍ଥ୍ୟରକ୍ଷା, ବିଶେଷକରି ନବଜାତ ଶିଶୁ ଓ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ପୁଷ୍ଟିହୀନତା ଦୂର ପାଇଁ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତି, ସରକାରଙ୍କ ଫ୍ଲାଗ୍ସିପ୍ ସ୍ୱାସ୍ଥ୍ୟବୀମା କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ ସେପ୍ଟେମ୍ବର ୨୩ରେ ଝାଡ଼ଖଣ୍ଡରେ ଲଞ୍ଚ୍ ହେବ । ଏଥିପାଇଁ ଉପଭୋକ୍ତାଙ୍କୁ ଚିହ୍ନଟ କରାଯାଇଛି । ହରିଆଣାର କର୍ଣ୍ଣାଲ ଜିଲ୍ଲାରେ ଜନ୍ମିତ ନବଜାତକ କରିସ୍ମା ଏହି ଯୋଜନାରେ ପ୍ରଥମ ଉପଭୋକ୍ତା ବୋଲି ମୋଦି କହିଛନ୍ତି । ଦେଶରୁ ପୁଷ୍ଟିହୀନତା ଦୂର ଉଦ୍ଦେଶ୍ୟରେ ‘ପୋଷଣ ଅଭିଯାନ’ ଲକ୍ଷ୍ୟକୁ ସଫଳ କରିବା ନେଇ ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ସେବା ପ୍ରଦାନରେ ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ମିଳିତ ପ୍ରୟାସ ଏବଂ ଅଭିନବ ଟେକ୍ନୋଲୋଜିର ବ୍ୟବହାରକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।