‘ବର୍ଷା ଜଳ ସଂରକ୍ଷଣ’ ପାଇଁ ଗାଁ ମୁଖିଆଙ୍କୁ ଚିଠି ଲେଖିଲେ ମୋଦି

ନୂଆଦିଲ୍ଲୀ: ଗ୍ରାମାଞ୍ଚଳରେ ଜଳ ସଂକଟକୁ ଆଖି ଆଗରେ ରଖି ଠିକ୍‌ ବର୍ଷାଦିନ ଆଗରୁ ଗାଁ ମୁଖିଆମାନଙ୍କୁ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଲେଖିଛନ୍ତି ମୌସୁମୀ ଆସିବା ପୂର୍ବରୁ ବୃହତ୍ ପରିମାଣର ବର୍ଷାଜଳ ସଂରକ୍ଷଣ କରିବା ପାଇଁ ପ୍ରସ୍ତୁତ ରହିବା ହିଁ ବୁଦ୍ଧିମାନର କାମ ହେବ। ଏଥିପାଇଁ ଜଳାଶୟଗୁଡ଼ିକୁ ପ୍ରସ୍ତୁତ ରଖିବା ପାଇଁ ସେ କହିଛନ୍ତି।

ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ମାଧ୍ୟମରେ ଏହି ଚିଠିସବୁ ଗାଁ ମୁଖିଆମାନଙ୍କ ପାଖକୁ ପଠାଯାଇଛି। ମୋଦିଙ୍କ ଏହି ଚିଠିକୁ ନେଇ ବିଭିନ୍ନ ଗାଁମାନଙ୍କରେ ଚର୍ଚ୍ଚା ଆରମ୍ଭ ହୋଇଛି। ମୋଦିଙ୍କ ନିର୍ବାଚନମଣ୍ଡଳୀ ବାରଣାସୀରେ ୬୩୭ ଜଣ ଗାଁ ମୁଖିଆଙ୍କୁ ମୋଦିଙ୍କ ଚିଠି ପହଞ୍ଚିଛି। ଏଥିରେ ସେ ଅନୁରୋଧ କରିଛନ୍ତି ବର୍ଷା ଜଳ ସଂରକ୍ଷଣ କରିବା ପାଇଁ ବ୍ୟକ୍ତିଗତ ସ୍ତରରେ ଉଦ୍ୟମ ହେଉ।

ସେ ଗୋଟିଏ ପୃଷ୍ଠାର ଏହି ଚିଠିରେ ଲେଖିଛନ୍ତି, ଗାଁରେ ଏକ ସଭା ଆୟୋଜନ କରି ଏହି ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଯାଉ। କିପରି ଭାବରେ ଜଳ ସଂରକ୍ଷଣ କରିପାରିବା ସେ ବିଷୟରେ ଆଲୋଚନା କରାଯାଉ। ଏଥିରେ ସେ ଲେଖିଛନ୍ତି, ମୋର ସମସ୍ତଙ୍କ ଉପରେ ବିଶ୍ୱାସ ଅଛି ଯେ, ସମସ୍ତେ ଏଥିନେଇ ପଦକ୍ଷେପ ଗ୍ରହଣ କରିବେ। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ପ୍ରସଙ୍ଗ ଉଠାଇବେ। ସେ ଏହି ଅବସରରେ ନିଶ୍ଚିତ କରିବାକୁ ଚାହୁଁଛନ୍ତି ଆଗକୁ ଜଳ ସଂକଟ ହେବା ପୂର୍ବରୁ ଲୋକେ ବର୍ଷା ଜଳ ସଂରକ୍ଷଣ କରି ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରୁହନ୍ତୁ।