କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା

କରୋନା ମୁକାବିଲାରେ ନବୀନ ବାବୁ ଉଦାହରଣ, ଅନ୍ୟମାନେ ଅନୁସରଣ କରନ୍ତୁ : ମୋଦୀ

ଭୁବନେଶ୍ୱର: କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି। ନବୀନଙ୍କ ପ୍ରୟାସ ଯୋଗୁଁ ବିଦେଶରୁ ଓଡ଼ିଶାକୁ ଫେରିଥିବା ବ୍ୟକ୍ତିଙ୍କ ନାମ ପଞ୍ଜିକରଣ ହେଉଛି। ଟୁଇଟ୍ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରି କହିଛନ୍ତି, ନବୀନଙ୍କ ପଦକ୍ଷେପକୁ ଅନ୍ୟମାନେ ଅନୁସରଣ କରିବା ଦରକାର। ମୁଖ୍ୟମନ୍ତ୍ରୀ ତାଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ରାଜ୍ୟ ସରକାରଙ୍କ କୋଭିଡ୍-୧୯ ପୋର୍ଟାଲରେ ପଞ୍ଜିକରଣ କରିବା ସହ ଏହା ଜନସାଧାରଣଙ୍କୁ ଟୁଇଟ୍ କରି ଜଣାଇଥିଲେ। ଏଥିସହ ସମସ୍ତେ ବିଦେଶରୁ ଫେରିବା ପରେ ସଙ୍ଗେ ସଙ୍ଗେ ସମସ୍ତେ ନିଜର ପଞ୍ଜିକରଣ କରିବାକୁ ଅପିଲ୍ କରିଥିଲେ। ଏହି ଟୁଇଟକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନବୀନଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

କରୋନା ମୁକାବିଲାରେ ନବୀନ ବାବୁ ଉଦାହରଣ, ଅନ୍ୟମାନେ ଅନୁସରଣ କରନ୍ତୁ : ମୋଦୀ

ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ରେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ, ଆପଣ ଉଦାହରଣ ସୃଷ୍ଟି କରିଛନ୍ତି । ମୁଁ ଆଶା କରୁଛି ଅନ୍ୟମାନେ ମଧ୍ୟ ନବୀନବାବୁଙ୍କୁ ଅନୁସରଣ କରିବେ। ଆମେ ସମସ୍ତେ ନିଜ ନିଜ ସ୍ତରରେ କୋଭିଡ-୧୯ର ସଂକ୍ରମଣକୁ ରୋକିବାକୁ ଉଦ୍ୟମ କରିବା।
ସୂଚନାଯୋଗ୍ୟ, ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାର ବିଦେଶରୁ ଆସିଥିବା ଲୋକଙ୍କୁ ସ୍ୱତନ୍ତ୍ର ଭାବେ ଖୋଲାଯାଇଥିବା ୱେବ୍‌ସାଇଟରେ ନାମ ପଞ୍ଜୀକରଣ କରିବାକୁ କହିଛନ୍ତି। ଆଉ ଏହି ପଞ୍ଜିକରଣ ବାଧ୍ୟତାମୂଳକ କରିଛନ୍ତି। ଏପରି ପଦକ୍ଷେପ ନେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ। ଆଜି ଦିନ ୨ଟା ସୁଦ୍ଧା ୨୧୩୧ ଜଣ ବିଦେଶାଗତ ନାମ ପଞ୍ଜୀକରଣ କରିଛନ୍ତି। ଏମାନେ ୮୦ଟି ଦେଶରୁ ଓଡ଼ିଶାକୁ ଫେରିଛନ୍ତି।