ଜାତି ଉଦ୍ଦେଶ୍ୟର ପ୍ରଧାମନ୍ତ୍ରୀଙ୍କ ବାର୍ତ୍ତା : ‘ଲକ୍‌ଡାଉନ୍’ ଚାଲିଯାଇଛି, କିନ୍ତୁ କରୋନାଭାଇରସ୍ ଯାଇନାହିଁ- ମୋଦୀ

ପାର୍ବଣ ସମୟରେ ସାବଧାନତାର ସହ ଚଳିବାକୁ ଦେଶବାସୀଙ୍କୁ ସଚେତନ କରାଇଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ‘ଲକ୍‌ଡାଉନ୍’ ଚାଲିଯାଇଛି, କିନ୍ତୁ କରୋନା ଭୂତାଣୁ ଯାଇନାହିଁ, ଏ କଥା ଆଦୌ ନ ଭୁଲିବାକୁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ସନ୍ଧ୍ୟାରେ ଜାତି ଉଦ୍ଦେଶ୍ୟର ବାର୍ତ୍ତା ଦେଇ ପ୍ରଧାମନ୍ତ୍ରୀ ପାର୍ବଣ ସମୟରେ ସାବଧାନତାର ସହ ଚଳିବାକୁ ଦେଶବାସୀଙ୍କୁ ସଚେତନ କରାଇଛନ୍ତି।

ଦେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି , ଜନତା କର୍ଫ୍ୟୁରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଭାରତବାସୀ କରୋନାଭାଇରସ୍ ବିରୋଧୀ ସଂଗ୍ରାମରେ ଦୀର୍ଘ ପଥ ଯାତ୍ରା କଲେଣି। ଗତ ସାତ/ ଆଠ ମାସ ମଧ୍ୟରେ ପ୍ରତ୍ୟେକ ଭାରତୀୟଙ୍କ ଉଦ୍ୟମ ଯୋଗୁଁ ଭାରତର ସ୍ଥିତି ଭଲ ଅଛି। ଏହାକୁ ଆମେ ବିଗାଡ଼ିବା ନାହିଁ। ଏହା ମଧ୍ୟରେ ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟ ଧୀରେ ଧୀରେ ବୃଦ୍ଧିପାଉଛି। ଅନେକ ଲୋକ ଘରୁ ପଦାକୁ ବାହାରିଲେଣି। ପୂଜାପାର୍ବଣର ସମୟ ଆସିଥିବାରୁ ବଜାରରେ ମଧ୍ୟ ଗହଳି ହେଲାଣି। କିନ୍ତୁ, ଆମେ ଭୁଲିଯିବା ନାହିଁ ଯେ, ‘ଲକ୍‌ଡାଉନ୍’ ଚାଲିଯାଇ ଥାଇପାରେ, କିନ୍ତୁ କରୋନା ରୋଗର ସୃଷ୍ଟିକାରୀ ଭୂତାଣୁ ଚାଲିଯାଇ ନାହିଁ। ମାନବତାକୁ ରକ୍ଷା କରିବା ଲାଗି ଯୁଦ୍ଧକାଳୀନଭିତ୍ତିରେ କାର୍ଯ୍ୟ ଚାଲିଛି। ଟିକା ନ ଆସିବା ପର୍ଯ୍ୟନ୍ତ କରୋନାଭାଇରସ୍ ବିପକ୍ଷରେ ଆମେ ସଂଗ୍ରାମ ଜାରି ରଖିବା ଆବଶ୍ୟକ। ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଟିକା ପହଞ୍ଚାଇବା ନିମନ୍ତେ ସରକାର ବ୍ୟବସ୍ଥା କରୁଛନ୍ତି। ଭାରତରେ ମୃତ୍ୟୁହାର ମଧ୍ୟ ଏକ ନିୟୁତ ଜନସଂଖ୍ୟାରେ ୮୩ । ଏହା ତୁଳନାରେ ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ୍‌ ଏବଂ ବ୍ରାଜିଲ୍‌ ଆଦି କେତେକ ଦେଶରେ ମୃତ୍ୟୁହାର ୬୦୦ରୁ ଅଧିକ। ବିଶ୍ବର ଅନ୍ୟ ଦେଶମାନଙ୍କରେ ସଂକ୍ରମଣ ସଂଖ୍ୟା ପୁଣି ବୃଦ୍ଧି ପାଉଥିବା ଜଣାପଡ଼ିଲାଣି। ତେଣୁ, ଭାରତର ଜନସାଧାରଣ ଅଧିକ ସତର୍କ ରହିବା ଆବଶ୍ୟକ।

ପ୍ରଧାନମନ୍ତ୍ରୀ କହିଛନ୍ତି , ଦେଶରେ ସ୍ୱାସ୍ଥ୍ୟକର୍ମୀ ଏବଂ ଅନ୍ୟ କୋଭିଡ୍ ଯୋଦ୍ଧା କରୋନା ନିୟନ୍ତ୍ରଣ ପାଇଁ ବେଶ୍ କିଛି କରୁଛନ୍ତି । ଏବେ ଆମେ କରୋନା ଚାଲିଗଲା ବୋଲି ଭାବିବା ଉଚିତ୍ ନୁହେଁ । ଏବେ ଆମେ ଅନେକ ଭିଡିଓ ଓ ଫଟୋରେ ଦେଖୁଛେ ଲୋକମାନେ କରୋନା କଟକଣା ମାନିବା ବନ୍ଦ କରିଦେଇଛନ୍ତି । ଆପଣ ବିନା ମାସ୍କରେ ବାହାରକୁ ବାହାରୁଛନ୍ତି ମାନେ ନିଜକୁ ନିଜ ପରିବାରର ଛୋଟ ଶିଶୁଙ୍କୁ ଏବଂ ପରିବାର ଲୋକଙ୍କୁ ବିପଦରେ ପକାଉଛନ୍ତି । ୟୁରୋପ ଆମେରିକା ପରି ଦେଶରେ କରୋନା କମିଥିଲା । ଏବେ କିନ୍ତୁ ତାହା ବୃଦ୍ଧି ପାଇଛି ।ଏହି ଅବସରରେ ପ୍ରଧାନମନ୍ତ୍ରୀ କବୀର ଦାସଙ୍କ ଦୋହାକୁ ମନେ ପକାଇଥିଲେ। କରୋନା ନଯିବା ପର୍ଯ୍ୟନ୍ତ ଟିକା ନ ବାହାରିବା ପର୍ଯ୍ୟନ୍ତ କରୋନା ବିରୋଧରେ ଲଢେଇକୁ ଆମେ ମାନେ ବନ୍ଦ କରିବା ନାହିଁ । ପୁରା ବିଶ୍ୱରେ କାମ ଚାଲିଛି । ଭାରତରେ ବୈଜ୍ଞାନିକମାନେ ଅନେକ ଟିକା ଉପରେ ବେଶ୍ ସଫଳ ଓ ସୁରକ୍ଷା ଭାବରେ କାମ କରୁଛନ୍ତି । ଭାକ୍‌ସିନ୍ ବାହାରିବା ମାତ୍ରେ ଲୋକଙ୍କ ପାଖରେ ଶୀଘ୍ର କିପରି ପହଞ୍ଚିବ ସେଥିପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ମୋଦି କହିଛନ୍ତି । ସମାଜିକ ଦୂରତା , ମାସ୍କ ପିନ୍ଧିବା , ସାବୁନରେ ହାତ ଧୋଇବା ପାଇଁ ପ୍ରଯତ୍ନ କରିବା । ମିଡିଆର ବନ୍ଧୁ ସୋସିଆଲ୍ ମିଡିଆରେ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ସଚେତନତା କରିବା ପାଇଁ ନିବେଦନ କରିଛନ୍ତି । ଲୋକମାନଙ୍କୁ ସଚେତନ କରିବା ଦେଶର କାର୍ଯ୍ୟ ବୋଲି କହିଛନ୍ତି । ଏହି ଅବସରେ ସେ ନବରାତ୍ର, ଦଶହରା, ଇଦ, ଗୁରୁନାନକ ଜୟନ୍ତୀ ଏବଂ ଛଟପୂଜାର ଶୁଭେଚ୍ଛା ଦେଇଛନ୍ତି ।

PM narendra modi speech to nation on corona awareness in festive time