ଜମ୍ମୁ-କଶ୍ମୀରରେ ନୂଆ ଯୁଗ ଆରମ୍ଭ ହୋଇଛି : ପ୍ରଧାନମନ୍ତ୍ରୀ

୩୭୦ ଧାରା ଉଚ୍ଛେଦ ପରିପ୍ରେକ୍ଷୀରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ

ନୂଆଦିଲ୍ଲୀ  : ୩୭୦ ଧାରା ଉଚ୍ଛେଦ ଦ୍ୱାରା ଜମ୍ମୁ-କଶ୍ମୀରରେ ନୂଆ ଯୁଗ ଆରମ୍ଭ ହୋଇଛି । ଦୀର୍ଘ ଦଶନ୍ଧି ଧରି ଜମ୍ମୁକଶ୍ମୀରରେ ଆତଙ୍କବାଦ, ବିଚ୍ଛିନ୍ନତାବାଦ, ପରିବାରବାଦ ଓ ଭ୍ରଷ୍ଟାଚାର କାୟା ବିସ୍ତାର କରିଥିଲା ବେଳେ ଏବେ ତା’ର ଅବସାନ ଘଟିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ସଂସଦରେ ୩୭୦ ଧାରା ଉଚ୍ଛେଦ ଓ ଜମ୍ମୁ-କଶ୍ମୀରକୁ ଦୁଇ ଭାଗ ପାଇଁ ବିଲ୍ ପାସ୍ ହେବା ପରିପ୍ରେକ୍ଷୀରେ ଦେଶବାସୀଙ୍କୁ ଗୁରୁବାର ସମ୍ବୋଧନ କରି ମୋଦୀ କହିଛନ୍ତି, ରାଜନୈତିକ ସମାଲୋଚକମାନଙ୍କୁ ମୁଁ ପ୍ରଶଂସା କରେ । କିନ୍ତୁ ସେମାନେ ଦେଶର ବୃହତ୍ତର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା ଦରକାର । ଜମ୍ମୁ-କଶ୍ମୀର ପରିସ୍ଥିତି ସମ୍ପର୍କରେ ସେ କହିଲେ, ୩୭୦ ଧାରା ଉଚ୍ଛେଦ ଦ୍ୱାରା ସେଠାର ଜନସାଧାରଣ ଦେଶର ଅନ୍ୟାନ୍ୟ ଭାଗର ଜନସାଧାରଣଙ୍କ ସହ ନିକଟତର ହୋଇ ପାରିବେ । ସେଠାରେ ଖୁବ୍ଶୀଘ୍ର ସ୍ୱାଭାବିକ ପରିସ୍ଥିତି ଫେରିଆସିବ । ଜମ୍ମୁ-କଶ୍ମୀର ଏବଂ ଲଦାଖ୍ର ଜନସାଧାରଣଙ୍କୁ ସେମାନଙ୍କ ଅଧିକାର ମିଳୁନଥିଲା । କିନ୍ତୁ ଏବେ ସେମାନଙ୍କୁ ସମାନ ଅଧିକାର ମିଳିଛି । ୩୫ଏ ଏବଂ ୩୭୦ ଧାରା ଜମ୍ମୁ-କଶ୍ମୀର ଲୋକଙ୍କର ବିପୁଳ କ୍ଷତି କରୁଥିଲା । ସେମାନଙ୍କୁ ପାକିସ୍ତାନ ହାତବାରିସି ଭଳି ବ୍ୟବହାର କରୁଥିଲା । ଏଥିଯୋଗୁଁ ଗତ ୩୦ ବର୍ଷ ମଧ୍ୟରେ ୪୨,୦୦୦ ନିରୀହ ଲୋକଙ୍କ ପ୍ରାଣ ଯାଇଛି ।

ଜମ୍ମୁ-କଶ୍ମୀରରେ ଯେଭଳି ବିକାଶ ହେବା କଥା, ତାହା ହୋଇପାରି ନାହିଁ । ଏଣିକି ସେଠାର ଜନସାଧାରଣଙ୍କ ଭବଷ୍ୟତ ଉଜ୍ଜ୍ୱଳ । ସେଠାର ୧.୫ କୋଟି ଲୋକ ଶିକ୍ଷା ଅଧିକାର ଆଇନର ସୁଯୋଗରୁ ବଞ୍ôଚତ ହେଉଥିଲେ । ଏବେ ସେମାନଙ୍କ ପିଲାମାନେ ଉତ୍ତମ ଶିକ୍ଷା ସୁବିଧା ପାଇବେ । ଦଳିତଙ୍କ ଉପରେ ଅତ୍ୟାଚାର ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ଆଇନ ଜମ୍ମୁ-କଶ୍ମୀର ପାଇଁ ଲାଗୁ ହେଉନଥିବାରୁ ଏହି ଶ୍ରେଣୀ ନିର୍ଯାତିତ ହେଉଥିଲେ । ଶ୍ରମିକ ଶ୍ରେଣୀ ମଧ୍ୟ ସେମାନଙ୍କର ସୁବିଧା ସୁଯୋଗରୁ ବଞ୍ôଚତ ହେଉଥିଲେ । ୩୫ଏ ଏବଂ ୩୭୦ ଧାରା ଏବେ ଇତିହାସ ହୋଇଯିବାରୁ ଏହିସବୁ ସମସ୍ୟାର ଅନ୍ତଃ ଘଟିବ ।

ଜମ୍ମୁ-କଶ୍ମୀର ଦୀର୍ଘ କାଳ ପାଇଁ କେନ୍ଦ୍ରଶାସିତ ଅଞ୍ଚଳ ହୋଇ ରହିବ ନାହିଁ । ଲଦାଖ୍କୁ ଏହି ସ୍ୱତନ୍ତ୍ର ମାନ୍ୟତା ମିଳିବାରୁ ଏହି ଅଞ୍ଚଳ ଆଉ ପଛରେ ପଡ଼ିରହିବ ନାହିଁ । ଲଦାଖ୍ରେ ପରିବେଶ ଓ ଧର୍ମୀୟ ପର୍ଯ୍ୟଟନ କ୍ଷେତ୍ରରେ ବିପୁଳ ସାଧନ ରହିଛି । ଏହାକୁ ଏକ ସୌରଶକ୍ତି କେନ୍ଦ୍ର ଭାବରେ ପରିଣତ କରାଯାଇ ପାରିବ । ଦୀର୍ଘ ବର୍ଷ ଧରି ଜମ୍ମୁ-କଶ୍ମୀରରେ ବହୁ ପୁଲିସ ଅଧିକାରୀ ଓ କର୍ମଚାରୀ କର୍ତ୍ତବ୍ୟରତ ଅବସ୍ଥାରେ ଆତ୍ମୋତ୍ସର୍ଗ କରିଛନ୍ତି । ସେମାନେ ମଧ୍ୟ ସୁନ୍ଦର ଜମ୍ମୁ-କଶ୍ମୀର ସ୍ୱପ୍ନ ଦେଖିଥିଲେ । ସେମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆମ ସମସ୍ତଙ୍କୁ ମିଳିମିଶି ଉଦ୍ୟମ କରିବାକୁ ପଡ଼ିବ ।

 ମୋଦୀ ଦୀର୍ଘ ୪୦ ମିନିଟ୍ ଧରି ତାଙ୍କ ସମ୍ବୋଧନରେ କହିଥିଲେ, ଜମ୍ମୁକଶ୍ମୀର ପରିସ୍ଥିତି ଖୁବ୍ଶୀଘ୍ର ସ୍ୱାଭାବିକ ହେବ । ଧୀରେ ଧୀରେ କଷ୍ଟ ଦୂରେଇଯିବ । ସେଠାରେ ବିଧାୟକ ହେବେ । କ୍ୟାବିନେଟ୍ ରହିବ, ମୁଖ୍ୟମନ୍ତ୍ରୀ ରହିବେ । କିନ୍ତୁ କେବଳ ଆତଙ୍କବାଦ ରହିବ ନାହିଁ । କିଛି ଲୋକ ସରକାରଙ୍କ ଏହି ପଦକ୍ଷେପକୁ ସମାଲୋଚନା କରୁଛନ୍ତି । ମୁଁ ସେମାନଙ୍କ ସମାଲୋଚନାକୁ ସମ୍ମାନ ଜଣାଉଛି । ଗଣତନ୍ତ୍ରରେ ଏହା ଆବଶ୍ୟକ । କିନ୍ତୁ ଦେଶର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବାକୁ ମୁଁ ସେମାନଙ୍କୁ ଆହ୍ୱାନ ଦେଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।