ବାତ୍ୟା ‘ବୁଲ୍ବୁଲ୍’ କଥା ପଚାରି ସହାୟତା ଦେବା ପାଇଁ ମମତା ବାନାର୍ଜୀଙ୍କୁ ପ୍ରତିଶ୍ରୁତି ଦେଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ସାମୁଦ୍ରିକ ବାତ୍ୟା ‘ବୁଲ୍ବୁଲ୍’ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ବିପର୍ଯ୍ୟୟ ସୃଷ୍ଟିକରିବାର ଦିନକ ପରେ ଅର୍ଥାତ୍ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଫୋନ୍ କରି ପରିସ୍ଥିତି କଥା ପଚାରି ବୁଝିଛନ୍ତି।
କେନ୍ଦ୍ର ସରକାରଙ୍କ ଠାରୁ ସମସ୍ତ ସମ୍ଭାବ୍ୟ ସହାୟତା ମିଳିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ତୃଣମୂଳ କଂଗ୍ରେସର ନେତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ସାମୁଦ୍ରିକ ବାତ୍ୟା ‘ବୁଲ୍ବୁଲ୍’ ଯୋଗୁଁ ଉପୁଜିଥିବା ପରିସ୍ଥିତି ସମ୍ବନ୍ଧରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପଚାରିଲି। ପ୍ରତ୍ୟେକଙ୍କ ନିରାପତ୍ତା ଏବଂ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛି।
ବାତ୍ୟା ଏବଂ ପ୍ରବଳ ବର୍ଷା ଯୋଗୁଁ ବିପୁଳ ଶସ୍ୟ ଓ ସମ୍ପତ୍ତି କ୍ଷୟ ହୋଇଥିବା ପୂର୍ବ ଭାରତର ପରିସ୍ଥିତି ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ।
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ତାଙ୍କ ପ୍ରଶାସନ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ତଳିଆ ଅଞ୍ଚଳରୁ ୧, ୬୪, ୩୧୫ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି। ଶନିବାର ଦିନ ବତାସ ବେଳେ ଗୋଟାଏ କ୍ରୁଜ୍ ଜାହାଜରେ ଥିବା ଅନ୍ୟୂନ ୭୫ ଜଣ ଯାତ୍ରୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି।