କେରଳରେ ବର୍ଷା ତାଣ୍ଡବ : ଆକାଶମାର୍ଗରୁ ବନ୍ୟା ଅଚଂଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ, ୫୦୦ କୋଟି ଟଙ୍କାର ଅତିରିକ୍ତ ସହାୟତା

ନୂଆଦିଲ୍ଲୀ : କେରଳରେ ବର୍ଷା ତାଣ୍ଡବ । ଆକାଶମାର୍ଗରୁ ବନ୍ୟା ଅଚଂଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବନ୍ୟା ସ୍ଥିତି ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ୫୦୦ କୋଟି ଟଙ୍କାର ଅତିରିକ୍ତ ସହାୟତା ରାଶି ଘୋଷଣା କରିଛନ୍ତି ।  ଏହା ସହିତ ପ୍ରତିମୃତକଙ୍କ ପରିବାର ପାଇଁ କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କା ଓ ଆହତଙ୍କ ପରିବାରକ ୫୦ ହଜାର ଟଙ୍କା ସହାୟତା ଦେବେ ।ପୂର୍ବରୁ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଆକାଶମାର୍ଗରୁ ବନ୍ୟାସ୍ଥିତି ଅନୁଧ୍ୟାନ କରିବା ସହିତ ୧୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି । କେରଳରେ ବନ୍ୟା ଓ ଭୂସ୍ଖଳନ ଜନିତ ମୃତ୍ୟୁ ସଂଖ୍ୟା ଗତ ୯ ଦିନରେ ୩୨୪ ହେଲାଣି । ୩ ଲକ୍ଷ ୧୦ହଜାର ବିପନ୍ନ ଲୋକଙ୍କୁ ୨ ହଜାର ଆଶ୍ରୟସ୍ଥଳରେ ଥଇଥାନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ନୌସେନାର ୪୨ଟି ଟିମ୍‍, ସ୍ଥଳ ସେନାର ୧୬ଟିମ୍‍, ତଟ ସୁରକ୍ଷା ବାହିନୀର ୨୮ଟି ଟିମ୍‍ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀର ୩୯ଟି ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଖୁବଶୀଘ୍ର ଏନଡିଆର୍ ଏଫର ୧୪ଟି  ଟିମ ନିୟୋଜିତ କରାଯିବ । ଆଲାପୁଝା, ଏର୍ଣ୍ଣକୁଲମ୍‍, ଥ୍ରିସୁର ଓ ପାଥାନମଥିଟ୍ଟା ଜିଲାରେ ବନ୍ୟା ପରିସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଏ ପର୍ଯ୍ୟନ୍ତ ଲୋକମାନେ ଗଛ ଓ ଛାତ ଘର ଉପରେ ଆଶ୍ରୟ ନେଇଥିବା ଜଣାପଡ଼ିଛି ।

ଉଦ୍ଧାର କରିବାକୁ ୪ଜଣିଆ ସ୍ବତନ୍ତ୍ର ଟିମ୍ କେରଳ

ପ୍ରବଳ ବର୍ଷାରେ କେରଳର ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି । କେରଳରେ ଥିବା ଓଡ଼ିଆ ଲୋକମାନେ ପ୍ରଭାବିତ ହୋଇଛନ୍ତି । ୧୪୦ରୁ ଅଧିକ ଓଡ଼ିଆ ବିଭିନ୍ନ ସ୍ଥାନରେ ଫସି ରହିଛିନ୍ତି । ସେମାନେ ଆଲୁଭା, ମୁନ୍ନାର ରୋଡ ଓ ଓଡାପାଲିରେ ଆଶ୍ରୟ ନେଇଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ୪ଜଣିଆ ସ୍ବତନ୍ତ୍ର ଟିମ୍ କେରଳ ପଠାଯାଇଛି । ସହକାରୀ ଶ୍ରମ କମିଶନରଙ୍କ ନେତୃତ୍ବରେ ଏହି ଟିମ୍ କେରଳ ଯାଇଛି । ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଗ୍ରୁପ୍ ସହ ମଧ୍ୟ ସଂପର୍କ ରଖାଯାଇଛି । ଫସିରହିଥିବା ଲୋକଙ୍କୁ ରାଜ୍ୟର ଜରୁରୀ କାଳୀନ କେନ୍ଦ୍ର ସହ ସଂପର୍କ କରିବାକୁ ଅନୁରୋଧ କରାଯାଇଛି । ଆବଶ୍ୟକ ପଡିଲେ ସ୍ବତନ୍ତ୍ର ଗାଡିର ମଧ୍ୟ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି । ଫସି ରହିଥିବା ୧୪୦ଜଣଙ୍କ ମଧ୍ୟରୁ ପୁରୀରୁ ୬୦ଜଣ ଅଛନ୍ତି । ଫୁଲବାଣୀରୁ ୪୦  ଏବଂ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳର ୩୦ ଜଣ ଫସି ରହିଥିବା ସୂଚନା ମିଳିଛି ।