ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପିଭି ସିନ୍ଧୁ

ନୂଆଦିଲ୍ଲୀ: ଭାରତର ପ୍ରଥମ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନ୍ ପିଭି ସିନ୍ଧୁ ମଙ୍ଗଳବାର ସକାଳେ ସ୍ୱଦେଶ ଫେରିଛନ୍ତି। ଏହା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ମୋଦି ତାଙ୍କୁ ଭାରତର ଗୌରବ ବୋଲି କହିଥିଲେ। ସିନ୍ଧୁଙ୍କ ସହ ସାକ୍ଷାତ ପରେ ମୋଦି ଟ୍ୱିଟ୍ କରିଥିଲେ ଯେ, ଦେଶର ଗୌରବ, ଜଣେ ଚାମ୍ପିୟନ୍ ଯିଏ ସ୍ୱର୍ଣ୍ଣ ପଦକ ଏବଂ ଅନେକ ଯଶ-କୀର୍ତ୍ତି ସହ ସ୍ୱଦେଶ ଫେରିଛନ୍ତି। ସିନ୍ଧୁଙ୍କ ସହ ସାକ୍ଷାତ କରି ବହୁତ ଖୁସି ଲାଗିଲା। ତାଙ୍କୁ ମୋର ଶୁଭେଚ୍ଛା ଏବଂ ଭବିଷ୍ୟତ ଟୁର୍ଣ୍ଣାମେଣ୍ଟ ପାଇଁ ଶୁଭକାମନା ଜଣାଉଛି।

ଏହାଛଡ଼ା ସିନ୍ଧୁ କ୍ରୀଡ଼ା ମନ୍ତ୍ରୀ କିରନ୍ ରିଜିଜୁଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ତାଙ୍କୁ ୧୦ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ସିନ୍ଧୁଙ୍କ ସହ ବ୍ୟାଡମିଣ୍ଟନ୍ ଆସୋସିଏସନ୍ ଅଫ୍ ଇଣ୍ଡିଆର ସଭାପତି ହିମନ୍ତ ବିଶ୍ୱ ଶର୍ମା, କୋଚ୍ ଗୋପୀଚାନ୍ଦ ଓ କିମ୍ ଜି-ହ୍ୟୁନ୍ ଏବଂ ତାଙ୍କ ପିତା ତଥା ୧୯୮୬ ଏସିଆନ୍ ଗେମ୍ସ ଭଲିବଲ୍ ରୌପ୍ୟ ପଦକ ବିଜେତା ରମନ ଉପସ୍ଥିତ ଥିଲେ। କ୍ରୀଡ଼ାମନ୍ତ୍ରୀ ମଧ୍ୟ ୱାର୍ଲ୍ଡ ଚାମ୍ପିୟନଶିପ୍ ବ୍ରୋଞ୍ଜ ପଦକ ବିଜେତା ସାଇ ପ୍ରଣୀତଙ୍କୁ ମଧ୍ୟ ୪ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ।

ଏହା ପୂର୍ବରୁ କୋଚ୍ ଗୋପୀଚାନ୍ଦଙ୍କ ସହ ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାଶନାଲ୍ ଏୟାରପୋର୍ଟରେ ପହଞ୍ଚିବା ପରେ ସିନ୍ଧୁଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା। ତେବେ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ସତ୍ତେ୍ୱ ସିନ୍ଧୁ ସହନଶୀଳତା ଦେଖାଇଥିଲେ। ଏହି ୨୪ ବର୍ଷୀୟ ଖେଳାଳିଙ୍କ ମୁହଁରେ ଖୁସି ସ୍ପଷ୍ଟ ବାରି ହୋଇ ଯାଉଥିଲା। ଏହା ମଧ୍ୟରେ ସେ ଗଣମାଧ୍ୟମ ଏବଂ ସମର୍ଥକଙ୍କୁ ବରାବର ସମ୍ମାନ ମଧ୍ୟ ଦେଇଥିଲେ। ରିଓ ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ସିନ୍ଧୁ ସ୍ୱିଜରଲ୍ୟାଣ୍ଡର ବାସେଲଠାରେ ରବିବାର ଜାପାନର ନୋଜୋମି ଓକୁହାରାଙ୍କୁ ୨୧-୭, ୨୧-୭ ଗେମରେ ହରାଇ ଟାଇଟଲ୍ ଜିତିଥିଲେ।

ଏହି ଅବସରରେ ସିନ୍ଧୁ କହିଥିଲେ, “ମୁଁ ବାସ୍ତବରେ ବହୁତ ଖୁସି। ମୁଁ ମୋ ଦେଶ ପାଇଁ ଗର୍ବିତ। ଏହି ବିଜୟ ପାଇଁ ମୁଁ ଦୀର୍ଘଦିନ ଅପେକ୍ଷା କରିଥିଲି ଏବଂ ଶେଷରେ ଏହା ମିଳିଥିବାରୁ ମୁଁ ବହୁତ ଖୁସି ବୋଲି ସିନ୍ଧୁ କହିଥିଲେ। ଏହାଛଡ଼ା ସିନ୍ଧୁ ପଦକ ସମାରୋହର ଭାବାତ୍ମକ ମୁହୂର୍ତ୍ତ କଥା ମନେ ପକାଇଥିଲେ। ସେ ଆହୁରି କହିଥିଲେ, “ଯେତେବେଳେ ଜାତୀୟ ସଙ୍ଗୀତ ପରିବେଷଣ ହେଲା, ସେତେବେଳେ ମୋ ଆଖିରୁ ଲୁହ ଝରୁଥିଲା। ମୋ ପାଇଁ ଏହା ସ୍ମରଣୀୟ ମୁହୂର୍ତ୍ତ ଥିଲା। ମୁଁ ମୋର ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଉଛି, କାରଣ ସେମାନଙ୍କ ସମର୍ଥନ ବିନା ଏହା ସମ୍ଭବ ହୋଇନଥାନ୍ତା। ମୁଁ ମୋ କୋଚ୍ ଗୋପୀ ସାର୍ ଏବଂ କିମ୍ (ଜି ହ୍ୟୁନ)ଙ୍କୁ ଧନ୍ୟବାଦ ଜଣାଉଛି। ସେମାନେ ମୋ ପାଇଁ ଖୁବ୍ ପ୍ରୟାସ କରିଛନ୍ତି ଏବଂ ମୋ ଖେଳରେ ଅନେକ ପରିବର୍ତ୍ତନ ଆଣିଛନ୍ତି।