ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗୀଙ୍କ ଲାଗି ଖୁସି ଖବର, ପ୍ରଧାନମନ୍ତ୍ରୀଙ୍କ ଘୋଷଣା ୫୯ ମିନିଟରେ ମିଳିବ କୋଟିଏ ଟଙ୍କାର ଋଣ

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ମୋଦି ସରକାର ସୂକ୍ଷ୍ମ, ଲଘୁ ଓ ମଧ୍ୟମ (ଏମ୍‌ଏସ୍‌ଏମ୍‌ଇ)ଙ୍କ ପାଇଁ ଉପହାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କହିଛନ୍ତି ଯେ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗଙ୍କ ପାଇଁ ତାଙ୍କ ସରକାର ବହୁତ ବଡ଼ ଐତିହାସିକ ନିଷ୍ପତ୍ତି ନେଇଛନ୍ତି, ଯାହାର ପ୍ରଭାବ ଦେଖିବାକୁ ମିଳିବ। ଏବେ ସରକାର ଉଦ୍ୟୋଗଙ୍କ ପାଇଁ ଏକ ଘଣ୍ଟାରୁ କମ ସମୟରେ ଏକ କୋଟି ଟଙ୍କା ପର‌୍ୟ୍ୟନ୍ତ ଋଣ ମିଳିବାର ଯୋଜନା ଘୋଷଣା କରିଛନ୍ତି।
ଏଣିକି ଏହି ବର୍ଗର ବ୍ୟବସାୟୀମାନେ ମାତ୍ର ୫୯ ମିନିଟ୍‌ ମଧ୍ୟରେ ବ୍ୟାଙ୍କରୁ ୧ କୋଟି ଟଙ୍କା ପର‌୍ୟ୍ୟନ୍ତ ଋଣ ପାଇପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍‌ଏସ୍‌ଏମ୍‌ଇ କାର‌୍ୟ୍ୟକ୍ରମର ଉଦ୍‌ଘାଟନ କରି ଏଭଳି ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ଏହି କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବାକୁ ୧୨ ପ୍ରକାରର ଯୋଜନା କାର‌୍ୟ୍ୟକାରୀ କରିଥିବା ମୋଦି କହିଛନ୍ତି।

ଏଭଳି ନିଷ୍ପତ୍ତିକୁ ଦୀପାବଳି ଉପହାର ବୋଲି କହି ମୋଦି କହିଛନ୍ତି, “ ଏଭଳି ଯୋଜନା ଦ୍ୱାରା ଏମ୍‌ଏସ୍‌ଏମ୍‌ଇମାନେ ଅଧିକ ଆଗକୁ ଯାଇପାରିବେ। ଏହି କ୍ଷେତ୍ରର ବିକାଶ ହେବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ୧୨ଟି ପ୍ରମୁଖ ଯୋଜନା ମଧ୍ୟରୁ ୫୯ ମିନିଟ୍‌ରେ ୧ କୋଟି ଟଙ୍କା ପର‌୍ୟ୍ୟନ୍ତ ଋଣ ପ୍ରଦାନ କରିବାର ବ୍ୟବସ୍ଥା ଅନ୍ୟତମ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଇଜି ଅଫ ଡୁଇଙ୍ଗ ବିଜନେସ ରାଙ୍କିଙ୍ଗରେ ଭାରତର ସୁଧାରକୁ ଅବିଶ୍ଵସନୀୟ ଦର୍ଶାଇଛନ୍ତି। ଭାରତ ତାହା କରି ଦେଖାଇଛି ଯାହାକୁ ଲୋକେ କେବେ ବି କଳ୍ପନା ମଧ୍ୟ କରିନଥିଲେ। ଏବେ ଇଜି ଅଫ ଡୁଇଙ୍ଗ ବିଜନେସ ରାଙ୍କିଙ୍ଗର ଟପ-୫୦ରେ ପ୍ରବେଶ କରିବା ବେଶୀ ଦୂର ନୁହଁ। ଉଲ୍ଲେଖଯୋଗ୍ୟ ବିଶ୍ଵ ବ୍ୟାଙ୍କ ଦ୍ଵାରା ଜାରି ଇଜି ଅଫ ଡୁଇଙ୍ଗ ବିଜନେସ୍ ରାଙ୍କିଙ୍ଗ ୨୦୧୮ରେ ଭାରତ ୨୩ଟି ସ୍ଥାନ ଉପରକୁ ଉଠି ୭୭ମ ସ୍ଥାନରେ ପହଞ୍ଚିଛନ୍ତି।
ଦେଶରେ ବର୍ତ୍ତମାନ ୬୩ ଲକ୍ଷ ଏମ୍‌ଏସ୍‌ଏମ୍‌ଇ ୟୁନିଟ୍‌ କାର‌୍ୟ୍ୟକ୍ଷମ ରହିଛି। ଏଥିଯୋଗୁ ୧୧ କୋଟି ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।