ସ୍ୱାମୀତ୍ୱ ଯୋଜନା ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ଦେଶରେ ସ୍ୱାମୀତ୍ୱ ଯୋଜନାର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି ମହତ୍ତ୍ୱାକାଂକ୍ଷୀ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଆରମ୍ଭ ହେବା ପରେ ପ୍ରାୟ ୧ ଲକ୍ଷ ଲୋକଙ୍କୁ ସମ୍ପତ୍ତି କାର୍ଡ ବଣ୍ଟନ କରାଯିବ । ଏହି କାର୍ଡକୁ ହିତାଧିକାରୀମାନେ ମୋବାଇଲ ଫୋନରେ ଏସଏମଏସ ଦ୍ୱାରା ପଠାଯାଇଥିବା ଲିଙ୍କକୁ କ୍ଲିକ୍ କରି ଡାଉନଲୋଡ୍ କରିପାରିବେ । ପଞ୍ଚାୟତିରାଜ ମନ୍ତ୍ରାଳୟ ତରଫରୁ ଏହି ଯୋଜନାକୁ ଆରମ୍ଭ କରାଯାଇଛି ।

ଏହି ଯୋଜନାରେ ୬ଟି ରାଜ୍ୟର ୭୬୩ ପଞ୍ଚାୟତର ଏକ ଲକ୍ଷ ଲୋକ ଲାଭାନ୍ୱିତ ହେବେ । ଏଥିରେ ଉତ୍ତର ପ୍ରଦେଶର ୩୪୬, ହରିୟାଣାର ୨୨୧, ମହାରାଷ୍ଟ୍ରର ୧୦୦, ମଧ୍ୟପ୍ରଦେଶର ୪୪, ଉତ୍ତରାଖଣ୍ଡର ୫୦ ଓ କର୍ଣ୍ଣାଟକର ଦୁଇଟି ପଞ୍ଚାୟତ ରହିଛି ।

ପ୍ରଧାନମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିବା ପରେ ସେହିମାନଙ୍କ ସହ କଥା ହୋଇଥିଲେ, ଯେଉଁମାନଙ୍କୁ ସମ୍ପତ୍ତି କାର୍ଡର ଲାଭ ମିଳିବ । ଏହି ପ୍ରପର୍ଟି କାର୍ଡରେ ଲୋନ୍ ମିଳିବା ସହଜ ହେବ । ଅନ୍ୟ କେହି ସମ୍ପତ୍ତି ଉପରେ ଆଖି ପକାଇ ପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ହିତାଧିକାରୀଙ୍କୁ କହିଛନ୍ତି ।