ନୂଆ ସଂସଦ ଭବନ ନିର୍ମାଣ ଲାଗି ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର କେନ୍ଦ୍ରାଞ୍ଚଳରେ ନୂଆ ସଂସଦ ଭବନ ନିର୍ମାଣ ଲାଗି ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମୋଦି ସମ୍ବୋଧନ କରି କହିଛନ୍ତି ଯେ, ଯଦି ଆମେ ଆମ ଗଣତନ୍ତ୍ରର ଗୁଣଗାନ କରିବା ତେବେ ସେହିଦିନ ଦୂର ନୁହେଁ ଯେବେ ଦୁନିଆ କହିବ ‘ଇଣ୍ଡିଆ ଇଜ ମଦର ଅଫ ଡେମୋକ୍ରାସି’। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମେ ଭାରତବାସୀ ଏହା ପଣ କରୁଛୁ ଯେ, ଆମ ପାଇଁ ଦେଶର ଚିନ୍ତା ଆମ ଚିନ୍ତା ହେବ। ଦେଶର ସମ୍ବିଧାନ ଆମ ପାଇଁ ସର୍ବଶ୍ରେଷ୍ଠ ହେବ। ଦେଶର ଅଖଣ୍ଡତା ସର୍ବୋପରି ହେବ। ଯେବେ ମୁଁ ପ୍ରଥମ ଥର ପାଇଁ ୨୦୧୪ରେ ସଂସଦ ଭବନ ଆସିଥିଲି ସେହି ସମୟରେ ମୁଣ୍ଡ ନୁଆଁଇ ପ୍ରଣାମ କରିଥିଲି।

ବର୍ତ୍ତମାନର ସଂସଦ ଭବନରେ ପ୍ରଣୟନ ହୋଇଥିବା ସବୁ ଆଇନ, କଥିତ ହୋଇଥିବା ସବୁ କଥା ଆମ ଗଣତନ୍ତ୍ର ପାଇଁ ଧରୋହର ସଦୃଶ। କେବଳ ସେତିକି ନୁହେଁ ଲୋକସଭାରେ ବସିବା ପାଇଁ ସ୍ଥାନ ବୃଦ୍ଧି କରିବାକୁ କାନ୍ଥ ହଟାଗଲା। ଏବେ ସଂସଦ ଭବନ ବିଶ୍ରାମ ଚାହୁଁଛି।

ଏକବିଂଶ ଶତାବ୍ଦୀରେ ଭାରତକୁ ନୂତନ ସଂସଦ ଭବନ ମିଳିବା ଜରୁରୀ। ନୂତନ ସଂସଦ ଭବନରେ ବହୁ ସୁବିଧା ଉପଲବ୍ଧ ହେବ। ପୁରାତନ ସଂସଦ ଭବନ ସ୍ଵାଧିନତା ପରେ ଦେଶକୁ ନୂତନ ଦିଗ ଦେଇଛି ନୂତନ ସଂସଦ ଭବନ ଆତ୍ମନିର୍ଭର ଭାରତର ସାକ୍ଷ୍ୟ ରହିବ। ଆଗାମୀ ପୀଢି ନୂତନ ସଂସଦ ଭବନ ପାଇଁ ପ୍ରେରଣାଦାୟୀ ହେବ।

ଦୁନିଆରେ ନିର୍ବାଚନ ଏବଂ ନିର୍ବାଚନ ପ୍ରକ୍ରିୟାକୁ ଗଣତନ୍ତ୍ର କୁହାଯାଏ, କିନ୍ତୁ ଆମ ଦେଶରେ ଗଣତନ୍ତ୍ର ଏକ ସଂସ୍କାର ଯାହା ସମସ୍ତଙ୍କ ଜୀବନର ଏକ ଅଂଶ। ଦେଶର ଗଣତନ୍ତ୍ରରେ ଜୀବନ ମନ୍ତ୍ର ଏବଂ ବ୍ୟବସ୍ଥାର ମନ୍ତ୍ର ରହିଛି। ଦେଶରେ ଭିନ୍ନ ଭିନ୍ନ ବିଚାର ରହିଛି କିନ୍ତୁ ମତଭେଦ ହେବ ନାହିଁ। ଏହି ଲକ୍ଷ୍ୟରେ ଆମ ଗଣତନ୍ତ୍ର ଆଗକୁ ବଢିଛି।

‘ସେଣ୍ଟ୍ରାଲ୍‌ ଭିସ୍ତା’ ଯୋଜନାର ଅଂଶ ଭାବେ ନୂଆ ସଂସଦ ଭବନର ସାଙ୍କେତିକ ଶୁଭାରମ୍ଭ ଉତ୍ସବରେ କର୍ଣ୍ଣାଟକର ଶ୍ରୀଙ୍ଗେରି ମଠରୁ ଆସିଥିବା ଛଅଜଣ ପୁରୋହିତଙ୍କ ସଂସ୍କୃତ ମନ୍ତ୍ରପାଠ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ପୁଷ୍ପସଜ୍ଜିତ ପରିସରରେ ଆୟୋଜିତ ହୋମରେ ନୈବେଦ୍ୟ ଅର୍ପଣ କରିଥିଲେ।
ଶିଳାନ୍ୟାସ ଉତ୍ସବ ପରେ ପରେ ଏକ ‘ସର୍ବଧର୍ମ ପ୍ରାର୍ଥନା’ ହୋଇଥିଲା।
କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଦେଶୀ ରାଷ୍ଟ୍ରଦୂତ ଏବଂ ଧାର୍ମିକ ନେତାମାନଙ୍କ ସମେତ ପ୍ରାୟ ୨୦୦ ଗଣ୍ୟମାନ୍ୟ ଅତିଥି ଏହି ଉତ୍ସବରେ ଯୋଗ ଦେଇଥିଲେ। ନୂତନ ସଂସଦ ଭବନର ଠିକା ନେଇଥିବା ‘ଟାଟା ପ୍ରୋଜେକ୍ଟ୍‌’ର ରତନ ଟାଟା ମଧ୍ୟ ଏଥିରେ ଯୋଗ ଦେଇଥିଲେ।

ପରିବେଶକୁ ଭିତ୍ତି କରି ଏହି ପ୍ରକଳ୍ପ ବିରୋଧରେ ସୁପ୍ରିମ୍‌ କୋର୍ଟରେ ଆଗତ ପିଟିସନ୍‌ର ଶୁଣାଣି ହୋଇ ନ ଥିବା କାରଣରୁ ଏବେ ସଂସଦ ଭବନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରିବ ନାହିଁ।

pm narendra modi launches work for new Indian parliament complex