ସିଏଏ ସଂପର୍କରେ ଲୋକଙ୍କୁ ଜଣାଇବାକୁ ବିଜେପିର ଟ୍ବିଟ୍ କ୍ୟାମ୍ପେନ, ଓଡିଶା ବିଜେପିର ୧୦ଲକ୍ଷ ଟ୍ବିଟ୍

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଅଭିଯାନରେ ସାମିଲ

ଭୁବନେଶ୍ବର : ନାଗରିକତା ସଂଶୋଧନ ଆଇନ ସପକ୍ଷରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଜେପି ସାରା ଦେଶରେ  ଟ୍ବିଟ୍ କ୍ୟାମ୍ପେନ  ଆରମ୍ଭ କରିଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାସ୍‌ଟ୍ୟାଗ୍‌ #IndiaSupportsCAAର ଶୁଭାରମ୍ଭ କରିଛନ୍ତି । ‘ସିଏଏ’ର ଉଦ୍ଦେଶ୍ୟ ନିର୍ଯାତିତ ଶରଣାର୍ଥୀମାନଙ୍କୁ ନାଗରିକତ୍ବ ପ୍ରଦାନ କରିବା, କାହାର ନାଗରିକତ୍ବ ରଦ୍ଦ କରିବା ନୁହେଁ ବୋଲି ପ୍ରଧାନମନ୍ତ୍ରୀ ଙ୍କ ଅଫିସିଆଲ୍‌ ଓ୍ଵେବ୍‌ସାଇଟରେ  ଟୁଇଟ୍‌ କରାଯାଇଛି । ଏଥିସହ ପ୍ରଧାନମନ୍ତ୍ରୀ ଅଧ୍ୟାତ୍ମିକ ସଦ୍‌ଗୁରୁ ଜାଗ୍ଗି ବାସୁଦେବଙ୍କର ଏକ ଭିଡିଓ ମଧ୍ୟ ଟୁଇଟ୍‌ କରିଛନ୍ତି । ଏଥିରେ ସଦ୍‌ଗୁରୁ ‘ସିଏଏ’ ସଂକ୍ରାନ୍ତରେ ଅତି ସରଳ ବ୍ୟାଖ୍ୟା ରଖିଛନ୍ତି। ସେ ଐତିହାସିକ ଘଟଣାବଳୀ ବର୍ଣ୍ଣନା କରିବା ସହ ଭାରତୀୟ ସଂସ୍କୃତି ଏବଂ ଭାଇଚାରା  ଉପରେ ଚମତ୍କାର ଆଲୋକପାତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଟୁଇଟରେ ଲେଖିଛନ୍ତି ।

ସେପଟେ ଏହି ଆଇନ ସଂପର୍କରେ ଥିବା ଭ୍ରମ ଧାରଣା ଲୋକଙ୍କ ମନରୁ ଦୂର କରିବା ପାଇଁ ବିଜେପିର ଅଭିଯାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ସିଏଏ ସଂପର୍କରେ ବିରୋଧୀଙ୍କ ଭ୍ରମାତ୍ମକ ଜାଲରେ ନ ପଡ଼ିବାକୁ ସେ ଆହ୍ୱାନ ଦେଇଛନ୍ତି। ସତ ଜାଣନ୍ତୁ ଓ ସତ ବୁଝନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି। କଂଗ୍ରେସ ସମେତ କିଛି ବିରୋଧୀ ଦଳ ଏହି ନୂଆ ଆଇନ ସମ୍ପର୍କରେ ଜନସାଧାରଣଙ୍କୁ ଭୁଲ୍‌ ସୂଚନା ଦେଉଥିବାରୁ ‘ସିଏଏ’ ବିରୋଧରେ ପ୍ରତିବାଦ ଉଗ୍ର ହେଉଛି ବୋଲି ବିଜେପି ଅଭିଯୋଗ କରି ଆସୁଛି । ଏପଟେ, ପ୍ରଧାନମନ୍ତ୍ରୀଙ୍କ ଟୁଇଟକୁ ନେଇ ଓଡ଼ିଶା ବିଜେପି ନେତାଏ ଉତ୍ସାହିତ ଥିବାବେଳେ ଦଳର ନେତା ଠୁ କର୍ମୀଙ୍କ ଯାଏ ସମସ୍ତଙ୍କ ଟ୍ବିଟ୍ ଏବେ ଦେଖିବାକୁ ମିଳୁଛି । ରାଜ୍ୟ ବିଜେପି ୧୦ ଲକ୍ଷ ଟ୍ବିଟ କରି ଲୋକଙ୍କୁ ସଚେତନ କରିଛି ।