୭୨ ତମ ସ୍ୱାଧୀନତା ଦିବସ : ଲାଲ କିଲ୍ଲାରେ ପତାକା ଉତୋଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ୭୨ତମ ସ୍ୱାଧୀନତା ଦିବସ । ଲାଲକିଲ୍ଲା ଠାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ ଜଣାଇଛନ୍ତି ମୋଦି । ଏହି ଅବସରରେ ସେ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ସାଧୀନତା ସଂଗ୍ରାମୀଙ୍କ କଥା ମନେ ପକାଇଛନ୍ତି । ମହାତ୍ମାଗାନ୍ଧୀଙ୍କ ବଳିଦାନ ଚିର ସ୍ମରଣୀୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ତ୍ୟାଗ ଓ ସାହାସ ପାଇଁ ସେନା, ଯବାନ ଓ ପୋଲିସ ବାହିନୀକୁ ପ୍ରଂଶସା କରିଛନ୍ତି ମୋଦି ।

ଅଭିବାଦନ ପରେ ସେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଦେଶରେ ନୂଆ ଉତ୍ସାହ ସୃଷ୍ଟି ହୋଇଛି । ଦେଶର ଝିଅ ଆଜି ସାତ ସମୁଦ୍ର ପାର ହୋଇଛନ୍ତି । ଦେଶ ପାଇଁ ଝିଅମାନେ ଅନେକ ଗୌରବ ସାଉଁଟି ଆଣିଛନ୍ତି । ଏଭରେଷ୍ଟ ଉପରେ ଆଦିବାସୀ ପିଲା ଚଢି ଦେଶକୁ ଗର୍ବିତ କରିଛନ୍ତି । ଭାରତର ଅର୍ଥନୀତି ଦେଶର ଷଷ୍ଠ ସ୍ଥାନରେ ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶବାସୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି । ଓବିସି କମିଶନକୁ ସାମ୍ବିଧାନିକ ମାନ୍ୟତା ମିଳିଥିବା ମୋଦି କହିଛନ୍ତି ।

ମୋଦି ନିଜ ସରକାରର ସଫଳତାର ଗାଥା ବଖାଣିଛନ୍ତି । ସେ କହିଛନ୍ତି ବନ୍ୟା ପୀଡିତଙ୍କ ସହ ସାରା ଦେଶ ଛିଡା ହୋଇଛି । ଦେଶରେ ଶୌଚାଳୟ ନିର୍ମାଣ ଦ୍ରୁତ ଗତିରେ ବଢିଚାଲିଛି । ଗରିବଙ୍କୁ ସବୁବେଳେ ନ୍ୟାୟ ମିଳୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ୨୦୧୩ ଗତିରେ ଯଦି ଦେଶ ଗତି କରିଥାନ୍ତା ତେବେ ଦେଶରେ ଏଭଳି ପରିବର୍ତ୍ତନ ଆସିବା ପାଇଁ ପାଖାପାଖି ୧୦୦ ବର୍ଷ ସମୟ ଲାଗିଥାନ୍ତା । ପାରସ୍ପରିକ ସହଯୋଗ ଦ୍ୱାରା ଆଜି ଦେଶରେ ବଡ ପରିବର୍ତ୍ତନ ଆସିଛି । ମୋଦି କହିଛନ୍ତି ୧୨୫ କୋଟି ଲୋକ ଦେଶକୁ ନିର୍ମାଣ କରନ୍ତୁ । ଆତ୍ମନିର୍ଭରଶୀଳ ହେଉ ଭାରତ । ସମସ୍ତଙ୍କୁ ଆଗକୁ ବଢିବାକୁ ସୁଯୋଗ ମିଳୁ । ଦଳିତ, ପୀଡିତ ଓ ଶୋଷିତଙ୍କୁ ସମାନ ସୁଯୋଗ ମିଳୁ । ଦଳିତ, ପୀଡିତ ଓ ଶୋଷିତ ସମସ୍ତେ ସମାନ ସୁଯୋଗ ପାଆନ୍ତୁ ।

ମୋଦି ସରକାରରେ ପୁରା ଦେଶରେ ଷ୍ଟାର୍ଟ ଅପର ଲହରୀ ଆସିଛି । ବ୍ୟାଙ୍କିଂ ସେକ୍ଟରକୁ ମଜଭୁତ କରିବା ପାଇଁ ଆଇନ୍ ଆସିଛି । ଅତ୍ୟାଧୁନିକ ଶୈଳୀରେ ଚାଷ କରୁଛନ୍ତି ଚାଷୀଭାଇ । ଲକ୍ଷ୍ୟ ଦୂର ନହେଲେ ବିକାଶ ଅଟକିଯିବ । ୧୨୫ କୋଟି ଭାରତୀୟଙ୍କ ସ୍ୱାପ୍ନ ସାକାର ଆମର ଲକ୍ଷ୍ୟ ବୋଲି ମୋଦି କହିଛନ୍ତି । ଏହି ଅବସରରେ ମୋଦି ବୈଜ୍ଞାନିକଙ୍କ ସଫଳତାକୁ ନେଇ ଅନେକ ପ୍ରଂଶସା କରିଛନ୍ତି । ଆମ ଦେଶ ଅନ୍ତରୀକ୍ଷ ଦୁନିଆରେ ଅନେକ ନାମ କରିଛି । ୨୦୨୨ ପୂର୍ବରୁ ଦେଶର ଯେକୌଣସି ବ୍ୟକ୍ତି ଅନ୍ତରୀକ୍ଷ ଦୁନିଆରେ ପାଦ ଦେଇପାରିବେ ବୋଲି ମୋଦି କହିଛନ୍ତି । ଅନ୍ତରୀକ୍ଷ ମିଶନ ପାଇଁ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦି । ୨୦୨୨ ସୁଦ୍ଧା ହାତରେ ତ୍ରିରଙ୍ଗା ଧରି ମହାକାଶକୁ ଯିବେ ଦେଶବାସୀ । ଏହି ସଫଳତା ପରେ ମହାକାଶକୁ ପଠାଇବାରେ ଭାରତ ହେବ ଚତୁର୍ଥ ଦେଶ । ଶହେରୁ ଅଧିକ ଉପଗ୍ରହ ପ୍ରେରଣ ଅତ୍ୟନ୍ତ ଗର୍ବର କଥା ବୋଲି ମୋଦି କହିଛନ୍ତି ।

ଦେଶବାସୀଙ୍କୁ ସମ୍ଭୋଧନ କରିବା ଅବସରରେ ମୋଦି ସ୍ୱଚ୍ଛ ଭାରତ ଅଭିଯାନ ପ୍ରସଙ୍ଗ ଉଠାଇଛନ୍ତି । ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ପୂର୍ବରୁ ଲୋକମାନେ ଏହାର ଉପହାସ କରୁଥିବା ବେଳେ ଡବ୍ଲୁଏଚଓ ରିପୋର୍ଟ ସମସ୍ତଙ୍କୁ ଚକିତ କରିଦେଇଛି । ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ୩ ଲକ୍ଷରୁ ଅଧିକ ପିଲାଙ୍କର ଜୀବନ ବଞ୍ଚିଛି । ମସ୍ୟ ଉତ୍ପାଦନରେ ବିଶ୍ୱରେ ଭାରତ ଦ୍ୱିତୀୟ ସ୍ଥାନକୁ ଆସିଛି । ଚାଷୀଭାଇ ମାନେ ଏବେ ସୋଲାର ଫାର୍ମିଂକୁ ଆପଣେଇଛନ୍ତି ।

ଚର୍ଚ୍ଚିତ ଥିବା ‘ଆୟୁଷ୍ମାନ ଭାରତ’ ଯୋଜନା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେପ୍ଟେମ୍ବର ୨୫ ତାରିଖରୁ ‘ଆୟୁଷ୍ମାନ ଭାରତ’ ଲାଗୁ ହେବ । ଆଉ ଏହି ଯୋଜନାରେ ୧୦ କୋଟି ପରିବାର ପାଖାପାଖି ୫୦ କୋଟି ଲୋକ ଉପକୃତ ହେବେ । ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମଧ୍ୟ ଲାଗୁ ହେବ । ପ୍ରତି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମିଳିବ । ତେବେ ମୋଦି ସରକାରରେ ୪ କୋଟି ଗରିବ, ଗରିବର ସୀମାରେଖା ବାହାରକୁ ଆସିଥିବା ମୋଦି କହିଛନ୍ତି । ସମସ୍ତେ ସ୍ୱାଭିମାନ ସହ ବଞ୍ଚୁଛନ୍ତି । ଗ୍ରାମାଞ୍ଚଳରେ ବିଜୁଳି ପହଞ୍ଚିଛି । ଲାଞ୍ଚ ନେଉଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯାଉଛି । ଶୋଇଥିବା ହାତୀ ଉଠିଛି, ଘରେ ଘରେ ଡିଜିଟାଲ ଇଣ୍ଡିଆ ପହଞ୍ଚିଛି । ୨୦୨୨ ସୁଦ୍ଧା ପ୍ରତିଟି ଗରିବଙ୍କୁ ଘର ମିଳିବ । ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣା ହେବ । ଜିଏସଟି ଆସିବା ପରେ କରଦାତାଙ୍କ ସଂଖ୍ୟା ୧ କୋଟି ବଢିଛି । ୩ଲକ୍ଷ ବେଆଇନ କମ୍ପାନୀରେ ତାଲା ପଡିଛି ।

ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱରୋପ କରିଛନ୍ତି ପ୍ରଧାନମନ୍ତ୍ରୀ । ମହିଳା ଦେଶର ମହିଳାମାନଙ୍କୁ ମୋଦି ପ୍ରଂଶସା କରିବା ସହ ଦେଶର ପ୍ରଗତିରେ ମହିଳାମାନେ ସହଯୋଗ କରୁଥିବା କହିଛନ୍ତି । ସଶସ୍ତ୍ର ସେନାରେ ମହିଳାଙ୍କ ପାଇଁ ସ୍ଥାୟୀ କମିଶନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେନାରେ ପୁରୁଷଙ୍କ ଭଳି ମହିଳାମାନଙ୍କୁ ମଧ୍ୟ ମିଳିବ ସମାନ ସୁଯୋଗ । ମୋଦି ସରକାରରେ ମହିଳାମାନଙ୍କୁ ପ୍ରଗତି ପଥରେ ଆଗେଇବା ପାଇଁ ସୁଯୋଗ ମିଳିଛି । ସୁପ୍ରିମକୋର୍ଟରେ ତିନି ଜଣ ମହିଳା ବିଚାରପତି ଅଛନ୍ତି ।

ଏହି ଅବସରରେ ସେନାର ଅବଦାନକୁ ପ୍ରଂଶସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସର୍ଜିକାଲଷ୍ଟ୍ରାଇକ କରି ଶତ୍ରୁଙ୍କୁ ନିପାତ କରିଛି ସେନା । ଦେଶକୁ ଏକ ନୂଆ ପରିଚୟ ଦେଇଛି ସେନା । ନୂଆ ନୂଆ ସେକ୍ଟରରେ ପ୍ରବେଶ କରି ପରାକାଷ୍ଠାର ପରିଚୟ ଦେଇପାରିଛନ୍ତି ଯୁବବର୍ଗ । ଗୁଳି କି ଗାଳି ନୁହେଁ କାନ୍ଧ ମିଳାଇ ଆମେ ଆଗକୁ ବଢିବାକୁ ଚାହୁଁ ବୋଲି ମୋଦି କହିଛନ୍ତି । ବାଜପେୟୀ ହିଁ କାଶ୍ମୀରକୁ ଆମକୁ ନୂଆ ରାସ୍ତା ଦେଖାଇଥିଲେ । ଦେଶ କେତେବେଳେ ବିକାଶ ବିନା ରହିବନି କି ନଇଁବନି ବୋଲି ମୋଦି କହିଛନ୍ତି । ମାଓବାଦୀ ଦେଶକୁ ରକ୍ତରଞ୍ଜିତ କରୁଛନ୍ତି । ସେମାନଙ୍କୁ କଡା ଜବାବ ମିଳିବ । ଶେଷରେ ଦେଶଭକ୍ତିର ନାରା ଦେଇ ନିଜ ଅଭିଭାଷଣ ଶେଷ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।