୨୦ଟି ରାଜ୍ୟରେ ମତଦାନ ଜାରି; ଯୁବ ଭୋଟରଙ୍କୁ ଉତ୍ସାହିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦେଶର ୨୦ଟି ରାଜ୍ୟର ବିଧାନସଭା ନିର୍ବାଚନ ଓ ଉପନିର୍ବାଚନ  ପାଇଁ ସୋମବାର ପୂର୍ବାହ୍ଣ ୭ଟାରୁ ମତଦାନ ଜାରି ରହିଛି । ମତଦାନ ଆଜି ସନ୍ଧ୍ୟା ୫ଟା ଯାଏଁ ଜାରି ରହିବ । ଏଥି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ଯୁବ ଭୋଟରଙ୍କୁ ଉତ୍ସାହିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟରରେ ଲେଖିଛନ୍ତି, ଯୁବ ଭୋଟରମାନେ ଅଧିକରୁ ଅଧିକ ସଂଖ୍ୟାରେ ମତଦାନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରନ୍ତୁ । 

ସୂଚନାଯୋଗ୍ୟ ଆଜି ମହାରାଷ୍ଟ୍ର ଓ ହରିୟାଣାର ୨୮୮ ବିଧାନସଭା ଆସନ ସହିତ ଦେଶର ୧୮ ରାଜ୍ୟର ୫୧ଟି ବିଧାନସଭା ଆସନରେ ନିର୍ବାଚନ ଓ ଉପନିର୍ବାଚନ ପାଇଁ ମତଦାନ ହେଉଛି । ଉତ୍ତର ପ୍ରଦେଶରେ ସର୍ବାଧିକ ୧୧ଟି ଆସନରେ ଉପନିର୍ବାଚନ ହେଉଥିବା ବେଳେ ଓଡ଼ିଶାର ବିଜେପୁର ଆସନରେ ମଧ୍ୟ ଭୋଟିଂ ହେଉଛି ।

ଗୁଜୁରାଟର ୬ଟି ଆସନ, ବିହାରର ୫ଟି, ଆସାମର ୪ଟି ଆସନରେ ମତଦାନ ହେଉଛି । ସେହିଭଳି ହିମାଚଳ ପ୍ରଦେଶ ଓ ତାମିଲନାଡୁର ୨-୨ ଆସନରେ ଉପନିର୍ବାଚନ ହେଉଛି । ପଞ୍ଜାବର ୪ଟି, କେରଳର ୫ଟି, ସିକିମର ୩ଟି ଆସନରେ ମତଦାନ ହେଉଛି । ରାଜସ୍ଥାନର ୨ଟି, ଅରୁଣାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ଓଡ଼ିଶା (ବିଜେପୁର), ଛତିଶଗଡ଼, ପଣ୍ଡିଚେରୀ, ମେଘାଳୟ ଓ ତେଲେଙ୍ଗାନା ବିଧାନସଭାର ୧-୧ ଆସନ ପାଇଁ ମତଦାନ ଜାରି ରହିଛି ।