୨ ଦିନିଆ ଫ୍ରାନ୍ସ ଗସ୍ତରେ ମୋଦୀ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସ ଗସ୍ତରେ ଯାଇଛନ୍ତି । ଏହି ୨ ଦିନିଆ ଗସ୍ତରେ ସେ ସେଠାରେ ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ ମାକ୍ରୋନ ଓ ପ୍ରଧାନମନ୍ତ୍ରୀ ଏଡୱର୍ଡ ଫିଲିପଙ୍କୁ ସାକ୍ଷାତ କରିବେ । ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ପରମାଣୁ, ସମୁଦ୍ର ସହଯୋଗ ଓ ଆତଙ୍କବାଦ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି କୁହାଯାଉଛି ।

ଏହାପରେ ପ୍ରଧାନମନ୍ତ୍ରୀ ଫ୍ରାନ୍ସରୁ ୟୁଏଇ ଓ ବହରିନ ଗସ୍ତ କରିବେ । ଆସନ୍ତା ୨୫ରେ ପୁଣି ଫ୍ରାନ୍ସର ବିୟୋରିଟିଜ ସହରରେ ପହଁଚିବା ସହ ଜି୭ ସମିଟରେ ଅଂଶ ଗ୍ରହଣ କରିବେ । ଏହି ସମ୍ମିଳନୀରେ ଭାରତକୁ ଏକ ସହଯୋଗୀ ଦେଶ ଭାବେ ନିମନ୍ତ୍ରଣ କରାଯାଇଛି । ଆଜି ସଂଧ୍ୟାରେ ମୋଦୀ ଫ୍ରାନ୍ସ ପହଁଚିବା ପରେ ମାକ୍ରୋନଙ୍କୁ ଭେଟିବେ ଓ ରାତ୍ରଭୋଜନରେ ଯୋଗଦେବେ ।

ଆସନ୍ତାକାଲି ସକାଳେ ମୋଦୀ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଡୱର୍ଡ ଫିଲିପଙ୍କ ସହ ଆଲୋଚନା କରିବେ । ଏହାପରେ ପ୍ୟାରିସରେ ଅବସ୍ଥିତ ୟୁନେସ୍କୋ ମୁଖ୍ୟାଳୟରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରିବେ । ଏହାସହ ୧୯୫୦ ଓ ୧୯୬୬ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭାରତୀୟଙ୍କ ସ୍ମାରକକୁ ଉଦଘାଟନ କରିବେ ।