ଆତଙ୍କବାଦୀ ଲଶ୍କର ଟାର୍ଗେଟରେ ପ୍ରଧାନମନ୍ତ୍ରୀ ମୋଦୀ, ଶାହା ଓ ବିରାଟ କୋହଲି ସହ ଅନ୍ୟ ନେତା: ଏନଆଇଏ

ନୂଆଦିଲ୍ଲୀ:ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍ସି ବା ଏନଆଇଏ ହାତରେ ଆତଙ୍କବାଦୀଙ୍କ ଏକ ଚିଠି ଲାଗିଛି । ଯେଉଁଥିରେ ଏକ ବଡ ଷଡଯନ୍ତ୍ରର ଖୁଲାସା ହୋଇଛି । ଆତଙ୍କବାଦୀ ସଂଗଠନ ଅଲ ଇଣ୍ଡିଆ ଲଶ୍କର ଏ ତୋଏବା ଏନଆଇଏ ହେଡକ୍ୱାର୍ଟରକୁ ଏକ ଧମକପୂର୍ଣ୍ଣ ଚିଠି ସହ ହିଟଲିଷ୍ଟ୍ ପଠାଇଛି । ଯେଉଁଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଓ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ନାମ ରହିଛି । ଚିଠି ମିଳିବା ପରେ ଏନଆଇଏ ଅନ୍ୟ ଗୁଇନ୍ଦା ବିଭାଗକୁ ଆଲର୍ଟ କରିଛି । ଏହାସହ ହିଟଲିଷ୍ଟରେ ସାମିଲ ରାଷ୍ଟ୍ରପତି, ଗୃହମନ୍ତ୍ରୀ, ବିରାଟ କୋହଲିଙ୍କ ସହ ଅନ୍ୟ ଭିଭିଆଇପିଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି । 

ଜାତୀୟ ଗଣମାଧ୍ୟମର ସୂଚନାନୁସାରେ, ଏହି ହିଟ୍ ଲିଷ୍ଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ, ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ, ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ନାମ ସାମିଲ ଅଛି । ଏହା ପ୍ରଥମ ଥର ଦେଖାଦେଇଛି ଯେ ଆତଙ୍କବାଦୀଙ୍କ ହିଟ୍ ଲିଷ୍ଟରେ କୌଣସୀ କ୍ରିକେଟରଙ୍କ ନାମ ରହିଛି । 

ଅଲ ଇଣ୍ଡିଆ ଲଶ୍କର-ଏ-ତୋଏବା ହାଇ ପାୱାର କମିଟି କାଝୀକୋଡ କେରଳରୁ ଏନଆଇଏକୁ ଏହି ଚିଠି ମିଳିଛି । ବର୍ତମାନ ସୁରକ୍ଷା ଏଜେନ୍ସି ଏହାର ଯାଂଚ ଆରମ୍ଭ କରିଦେଇଛନ୍ତି ।