ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ୧୩୦ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମୋଦୀ ବ୍ରାଜିଲରେ ଥାଇ ଟୁଇଟର ଯୋଗେ ସ୍ୱର୍ଗତ ଜବାହରଲାଲ ନେହରୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । 

ପଣ୍ଡିତ ଜବାହରଲାଲ ନେହରୁ ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଏକ କଶ୍ମୀର ବ୍ରାହ୍ମଣ ପରିବାରରେ୧୮୮୯ ନଭେମ୍ବର ୧୪ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପ୍ରଶାସନିକ ଯୋଗ୍ୟତା ଢେର ଥିଲା । ଜଣେ ପ୍ରସିଦ୍ଧ ଆଇନଜୀବୀ ଓ ଭାରତ ସ୍ୱାଧୀନତା ଆନ୍ଦୋଳନର ନେତା ଜବାହରଲାଲ ନେହରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରମୁଖ ସହଯୋଗୀ ଥିଲେ । ମୋତିଲାଲ ନେହରୁଙ୍କ ୪ଟି ସନ୍ତାନ ମଧ୍ୟରୁ ବଡ଼ ପୁଅ ଜବାହରଲାଲ ନେହରୁ ଥିଲେ । ସେ ୧୯୬୪ ମେ’ମାସ ୨୭ରେ ପରଲୋକ ଗମନ କରିଥିଲେ । ଜବାହରଲାଲ ନେହରୁ ଛୋଟ ଛୋଟ ଶିଶୁଙ୍କୁ ଭଲ ପାଉଥିଲେ ବୋଲି ତାଙ୍କର ଜୟନ୍ତୀକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି । 

ଜବାହରଲାଲ ନେହରୁଙ୍କ ଭାଷାରେ ଶିଶୁ ହେଉଛନ୍ତି ଦେଶର ଭବିଷ୍ୟତ । ଯଦି ଆମେ ସେମାନଙ୍କର ଭବିଷ୍ୟତକୁ ରକ୍ଷା କରିବା, ତା’ହେଲେ ଭବିଷ୍ୟତ ଭଲ ହେବ । ଏଥି ପାଇଁ ସମସ୍ତଙ୍କୁ ଦୃଷ୍ଟି ଦେବାର ଅଛି । ଶିଶୁମାନଙ୍କ ପ୍ରତି ତାଙ୍କର ପ୍ରେମକୁ ଦେଖି ଭାରତୀୟ ନାଗରିକଙ୍କୁ ଶିଶୁଙ୍କ ପ୍ରତି ଜନସେଚତନା ସୃଷ୍ଟି କରାଯିବାର ଉଦେଶ୍ୟ ରଖାଯାଇଥିଲା । ଏହାଦ୍ୱାରା ନାଗରିକ ନିଜର ପିଲାଙ୍କୁ ସଠିକ ଶିକ୍ଷା ଓ ମାର୍ଗ ଦେଇପାରିବେ । ଏହି କାମ କଲେ ଦେଶ ସୁବ୍ୟବସ୍ଥିତ ଓ ସମୃଦ୍ଧ ରାଷ୍ଟ୍ରରେ ପରିଣତ ହେବ ।