୮ରୁ ମାଳଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୮ତାରିଖରୁ ଦୁଇ ଦିନ ପାଇଁ ମାଳଦ୍ୱୀପ ଗସ୍ତରେ ଯିବେ । ପ୍ରଧାନମନ୍ତ୍ରୀ ଭାବେ ଦ୍ୱିତୀୟଥର ପାଇଁ କାର୍ଯ୍ୟଭାର ଗ୍ରହଣ କରିବା ପରେ ଏହା ହେବ ତାଙ୍କର ପ୍ରଥମ ବିଦେଶ ଗସ୍ତ । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି, ତାଙ୍କର ଏହି ଗସ୍ତ ଦ୍ବାରା ଭାରତ ଓ ମାଳଦ୍ୱୀପ ମଧ୍ୟରେ ଉଚ୍ଚସ୍ତରୀୟ ଭାବର ଆଦାନ ପ୍ରଦାନ ତ୍ୱରାନ୍ୱିତ ହୋଇପାରିବ । ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷିୟ ସମ୍ପର୍କ ଓ ଆପୋଷ ସ୍ୱାର୍ଥ ବିଜଡ଼ିତ ପ୍ରସଙ୍ଗଗୁଡ଼ିକ ଉପରେ ସମୀକ୍ଷା କରିବା ପାଇଁ ଏହି ଗସ୍ତ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଥିବା ବେଳେ ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ସମ୍ପର୍କ ଆହୁରି ନିବିଡ଼ ହେବ ବୋଲି ଆଶା କରାଯାଉଛି । ୯ ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କା ଗସ୍ତରେ ଯିବେ । ପ୍ରଥମେ ପଡ଼ୋଶୀ ଭାରତର ନୀତିକୁ ଅଗ୍ରାଧିକାର ଦିଆଯାଉଥିବାରୁ ପ୍ରଧାନମନ୍ତ୍ରୀ ମାଳଦ୍ୱୀପ ଓ ଶ୍ରୀଲଙ୍କା ଗସ୍ତରେ ଯାଉଛନ୍ତି ।