ଆସନ୍ତାକାଲି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତା ହେବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଅର୍ଥାତ ଆସନ୍ତାକାଲି ପୁଣିଥରେ କରୋନା ଭାଇରସ ସଙ୍କଟ ସମ୍ପର୍କରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି । ପ୍ରଧାନମନ୍ତ୍ରୀ ମୋଦୀ ଲକଡାଉନ୍ ୩.୦ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଥମ ଥର ପାଇଁ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏହି ବୈଠକ ସୋମବାର ଅପରାହ୍ନ ୩ ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।
ଏପ୍ରିଲ୍ ୨୮ ରେ ପ୍ରଧାନମନ୍ତ୍ରୀ ମୋଦୀ ଚତୁର୍ଥ ଥର ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତା କରି ଦେଶରେ କରୋନା ଜୀବାଣୁ ମୁକାବିଲା ପାଇଁ ଲାଗୁ ହୋଇଥିବା ଲକଡାଉନ ସମୟସୀମାକୁ ୧୭ ମଇ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ।
ତେବେ କରୋନା ସହ ଚାଲିଥିବା ଯୁଦ୍ଧରେ ପୁଣି ଥରେ ଲକଡାଉନ୍ ବୃଦ୍ଧି କରାଯିବ କି ନାହିଁ ତାହା ଚର୍ଚ୍ଚାର ବିଷୟ ହୋଇଛି। ମେ ୧୭ ପରେ, ଦେଶ କରୋନା ସହିତ କିପରି ଲଢିବ, ସୋମବାର ଦିନ ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି ।