ରାମ ମନ୍ଦିର ଶିଳାନ୍ୟାସ: ମୋଦିଙ୍କ ସହ ଯୋଗଦେବେ ୨୦୦ ଅତିଥି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଗଷ୍ଟ ୫ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୧୫୦ ଜଣ ନିମନ୍ତ୍ରିତ ଅତିଥି ଯୋଗ ଦେବେ । ତେବେ ମୋଟ ଅତିଥି ସଂଖ୍ୟା ୨୦୦ ରୁ ଅଧିକ ହେବ ନାହିଁ ବୋଲି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦଦେବ ଗିରି ପ୍ରକାଶ କରିଛନ୍ତି ।

ବୁଧବାର ପୁନେରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦଦେବ ଗିରି କହିଛନ୍ତି, ଆମେ ସ୍ଥିର କରିଛୁ ଯେ ଏହି କାର୍ଯ୍ୟକ୍ରମରେ ୧୫୦ ନିମନ୍ତ୍ରିତ ଅତିଥିଙ୍କ ସମେତ ମୋଟ ୨୦୦ ଜଣ ଲୋକ ଉପସ୍ଥିତ ରହିବେ ।

ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଭଗବାନ ରାମ ଓ ହନୁମାନ ଗରହୀ ମନ୍ଦିରରେ ହନୁମାନଙ୍କୁ ପୂଜାର୍ଚ୍ଚନା କରିବେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବ ବୋଲି ଟ୍ରଷ୍ଟର କୋଷାଧ୍ୟକ୍ଷ ପ୍ରକାଶ କରିଛନ୍ତି ।

ଅଯୋଧ୍ୟାରେ ମନ୍ଦିର ଭିତ୍ତିପ୍ରସ୍ତର ସ୍ଥାପନ ପୂର୍ବରୁ ତିନିଦିନିଆ ବୈଦିକ ରୀତିନୀତିରେ ପୂଜାର୍ଚ୍ଚନା କରାଯିବ । ଏହି କାର୍ଯ୍ୟକ୍ରମ ଅଗଷ୍ଟ ୩ ରୁ ଆରମ୍ଭ ହୋଇ ଅଗଷ୍ଟ ୫ରେ ଭୂମି ପୂଜନ କରାଯାଇ ଶେଷ କରାଯିବ । ଭେଟେରାନ ବିଜେପି ନେତା ଏଲକେ ଆଡଭାନୀ ଓ ରାମ ଜନ୍ମଭୂମି ଆନ୍ଦୋଳନର ଅନ୍ୟ ନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ ବୋଲି ଟ୍ରଷ୍ଟର ଅନ୍ୟଜଣେ ସଦସ୍ୟ ମଙ୍ଗଳବାର ପ୍ରକାଶ କରିଥିଲେ । ସେହିପରି ମୁରଲୀ ମନୋହର ଯୋଶୀ, ଉମା ଭାରତୀ ଓ ବିନୟ କାଟିୟାରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ ବୋଲି ସେ ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଶୁଭ ସମୟ ଅଗଷ୍ଟ ୫ ମଧ୍ୟାହ୍ନ ୧୨.୧୫ କୁ ନିର୍ଦ୍ଧାରିତ କରାଯାଇଛି । ଏନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଭାପତି ମହନ୍ତ ନିତ୍ୟ ଗୋପାଳ ଦାସଙ୍କ ପକ୍ଷରୁ ସୂଚନା ମିଳିଛି ।

ବୈଦିକ ରୀତିନୀତିରେ ଗଣେଶଙ୍କ ପୂଜା ସହିତ ଭୂମି ପୂଜନ ପ୍ରକ୍ରିୟା ଆରମ୍ଭ ହେବ । ଏହାର ପରଦିନ ପୁରୋହିତମାନେ ରାମଚାର୍ଯ୍ୟ ପୂଜା କରିବେ ଓ ଶେଷ ଦିନ ଅଗଷ୍ଟ ୫ରେ ଆଉ ଏକ ଭୂମି ପୂଜନ କରାଯିବ। ବାରଣାସୀ ଓ ଅଯୋଧ୍ୟାରୁ ୧୧ ଜଣିଆ ପୁରୋହିତ ଦଳ ତିନି ଦିନିଆ ପୂଜା କରିବେ। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀ ବାରଣାସୀର ପୁରୋହିତମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଅଯୋଧ୍ୟା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ଘଣ୍ଟିଆ କାର୍ଯ୍ୟକ୍ରମ ରହିଛି।