ଗରିବ କଲ୍ୟାଣ ଯୋଜନାରେ ୧୧୬ ଜିଲ୍ଲାର ୨୯ ଲକ୍ଷ ଲୋକଙ୍କୁ କାମ ମିଳିବ: କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ଜୁନରେ ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ର ଶୁଭାରମ୍ଭ କରିବେ । ପ୍ରବାସୀଙ୍କ ପାଇଁ ଖୋଲିଲା ରୋଜଗାରର ବାଟ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି, ତାଲାବନ୍ଦ ସମୟରେ ଦେଶର ୧୧୬ ଜିଲ୍ଲାକୁ ସବୁଠୁ ଅଧିକ ପ୍ରବାସୀ ଶ୍ରମିକ ଫେରିଛନ୍ତି । ବିହାର, ଝାଡଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଓଡିଶା ଏବଂ ରାଜସ୍ଥାନରେ ପ୍ରବାସୀ ଶ୍ରମିକମାନେ ବହୁ ସଂଖ୍ୟାରେ ଘରକୁ ଫେରିଛନ୍ତି। ସେମାନଙ୍କ ପାଇଁ ରୋଜଗାର ଯୋଗାଇବା ଆମର ପ୍ରଥମ ପ୍ରାଥମିକତା ।

କରୋନା ସଂକଟ ସମୟରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ସରକାର ଅଧିକ ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ପୂର୍ବରୁ ଆତ୍ମନିର୍ଭରଶୀଳ ଭାରତ ପ୍ୟାକେଜରେ ସରକାର ଏମଏନଆରଇଜିଏର ବଜେଟକୁ ୪୦ ହଜାର କୋଟିରୁ ଏକ ଲକ୍ଷ କୋଟିକୁ ବୃଦ୍ଧି କରିଥିଲେ ।

ଏବେ ପ୍ରବାସୀଙ୍କୁ ରୋଜଗାର ଯୋଗାଇବା ପାଇଁ ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ କାର୍ଯ୍ୟକାରୀ ହେବ । ଏହି ଅଭିଯାନ ୧୨୫ ଦିନ ଚାଲିବ । ଏଥିରେ ସରକାରଙ୍କ ୨୫ ଟି ଯୋଜନା ଅନ୍ତର୍ଭୁକ୍ତ ହେବ । ପ୍ରବାସୀ ଶ୍ରମିକଙ୍କ ସହାୟତାରେ ସରକାର ଏହି ଯୋଜନାକୁ କର୍ଯ୍ୟକାରୀ କରି ଗ୍ରାମାଞ୍ଚଳର ଭିତ୍ତିଭୂମିକୁ ଅଧିକ ମଜବୁତ କରିବା ନେଇ ଲକ୍ଷ୍ୟ ରଖିଛନ୍ତି ।