ବଜେଟକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ରଖିଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଲୋକସଭାରେ ଚଳିତ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ ଉପସ୍ଥାପନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିବା ସହ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏହାସହ ସେ ଅର୍ଥମନ୍ତ୍ରୀ ସୀତାରମଣଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ପିଏମ ମୋଦି କହିଛନ୍ତି ଯେ, ଏହା ଚଳିତ ଶତାବ୍ଦୀର ପ୍ରଥମ ବଜେଟ, ଯେଉଁଥିରେ ଭିଜନ ସହ ଆକ୍ସନ ମଧ୍ୟ ରହିଛି ।

ସେ ଆହୁରି କହିଛନ୍ତି ଯେ, କୃଷକଙ୍କ ଆୟ ଦ୍ବିଗୁଣିତ କରିବା ସରକାରଙ୍କ ଲକ୍ଷ । ଯୁବବର୍ଗଙ୍କ ପାଇଁ ନୂଆ ଅବସରର ଆଣିବା । ଗ୍ରାମୀଣ କ୍ଷେତ୍ରରେ ରୋଜଗାର ବୃଦ୍ଧି କରିବା, ପ୍ରତ୍ୟେକ ନାଗରିକଙ୍କୁ ଆର୍ଥିକ ରୂପେ ସଶକ୍ତ କରିବା ସହ ଅର୍ଥ ବ୍ୟବସ୍ଥାର ମୂଳଦୁଆକୁ ସୁଦୃଢ କରିବା ଦିଗରେ କାର୍ଯ୍ୟ କରିବୁ ।

ମୋର ବିଶ୍ବାସ ରହିଛି ଯେ ଏହି ବଜେଟ ଆୟ ଓ ନିବେଶ ବୃଦ୍ଧିରେ ସହାୟକ ହେବ । ଏହାସହ ଏହି ବଜେଟ ଦେଶର ବର୍ତ୍ତମାନର ଆବଶ୍ୟକତା ସହ ଚଳିତ ଶତାବ୍ଦୀର ଭବିଷ୍ୟତର ଅପେକ୍ଷାକୁ ପୁରା କରିବ । ବଜେଟ ଅର୍ଥ ବ୍ୟବସ୍ଥାକୁ ଗତି ପ୍ରଦାନ କରିବ । ଗାଁର ଗରିବ କୃଷକଙ୍କୁ ସମୃଦ୍ଧି ଆଡକୁ ନେଇଯିବ । ଏହା ବ୍ୟତୀତ ପର‌୍ୟ୍ୟଟନରେ ଅଧିକ ରୋଜଗାର ଉତ୍ପନ୍ନ କରାଯିବ ।

ରୋଜଗାର ବୃଦ୍ଧି ପାଇଁ ସରକାର ଉତ୍ପାଦନ ଉପରେ ଗୁରୁତ୍ବ ଦେଉଛି । ନିବେଶ ପାଇଁ ଅଲଗା ପୋର୍ଟାଲ ଗଠନ ହେବ । ବିଶ୍ବରରେ ଶୀଘ୍ର ବିକାଶ କରୁଥିବା ଦେଶ ମଧ୍ୟରେ ଭାରତ ବି ସାମିଲ ହୋଇଛି । ଟ୍ୟାକ୍ସ ଉପରେ ମଧ୍ୟ ସରକାର କାମ କରୁଛନ୍ତି । ଏପ୍ରିଲ ୨୦୨୦ରେ ଜିଏସଟିର ନୂଆ ଭର୍ସନ ଅଣାଯିବ।ବିଶ୍ବରେ ବହୁତ କମ ଦେଶ ଅଛନ୍ତି, ଯେଉଁଠି ଟ୍ୟାକ୍ସ ଚାର୍ଟରର ସ୍ଥାପନା କରାଯାଇଛି । ଭାରତ ମଧ୍ୟ ଏହି ଦେଶ ମଧ୍ୟରେ ସାମିଲ ହେବାକୁ ଯାଉଛି ।  ଏହି ବଜେଟରେ ଗାଁରେ ରୋଜଗାର ବୃଦ୍ଧି ହେବ ।

ସମ୍ପୂର୍ଣ୍ଣ ବଜେଟରେ ଆଧୁନିକ ଭାରତ ଉପରେ ଜୋର ଦିଆଯାଇଥିବା ପ୍ରଧାନମନ୍ତ୍ରୀ ମୋଦି ପ୍ରତିକ୍ରିୟା ଦେଇଛନ୍ତି । ଆୟକର କ୍ଷେତ୍ରରେ ସରକାର ବିବାଦରୁ ବିଶ୍ବାସ ଆଡକୁ ଗତି କରୁଛି ବୋଲି କହିଛନ୍ତି ସେ ।