ଜନ୍ମ ଦିନରେ ମାଙ୍କୁ ଭେଟି ଆଶୀର୍ବାଦ ନେଇ ଏକାଠି ଭୋଜନ କଲେ ମୋଦୀ

ଗାନ୍ଧୀନଗର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ୬୯ତମ ଜନ୍ମଦିନରେ ଗାନ୍ଧୀନଗର ଯାଇ ନିଜ ମା ହୀରା ବେନଙ୍କ ଆଶୀର୍ବାଦ ନେଇଛନ୍ତି। ସର୍ଦ୍ଦାର ସରୋବର ଡ୍ୟାମର ପରିଦର୍ଶନ ଏବଂ କେଓ୍ଵଡ଼ିଆରେ ରାଲିକୁ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ଅପରାହ୍ନ ପ୍ରାୟ ୨ଟା ୩୦ରେ ଗାନ୍ଧୀନଗରରେ ମାଙ୍କ ଘରେ ପହଞ୍ଚିଥିଲେ। ସେଠାରେ ମାଙ୍କ ସହିତ ଏକାଠି ମଧ୍ୟାହ୍ନ ଭୋଜନ ମଧ୍ୟ କରିଛନ୍ତି।

ନିଜର ଜନ୍ମଦିନ ଅବସରରେ ମୋଦୀ ମାଙ୍କ ସହିତ ପ୍ରାୟ ଅଧ ଘଣ୍ଟା ବିତାଇଛନ୍ତି। ମାଙ୍କ ସହ ସୁଖଦୁଃଖ ହେବା ସହିତ ଏକାଠି ବସି ମଧ୍ୟାହ୍ନ ଭୋଜନ କରିଥିଲେ। ଏହା ପୂର୍ବରୁ ଲୋକସଭା ନିର୍ବାଚନରେ ପ୍ରଚଣ୍ଡ ବହୁମତ ସହିତ ବିଜୟ ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଦ୍ଵିତୀୟ କାର୍ଯ୍ୟକାଳର ଶପଥ ନେବା ପୂର୍ବରୁ ନିଜ ମାଙ୍କ ପାଖକୁ ଆସି ଆଶୀର୍ବାଦ ନେଇଥିଲେ।  

ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ରାତିରେ  ହିଁ ନିଜର ଗୃହ ରାଜ୍ୟ ଗୁଜରାତ ପହଞ୍ଚିଥିଲେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ସକାଳେ ମା ହୀରାବେନଙ୍କୁ ଭେଟିବାର ଥିଲା। ଏହା ପରେ ସର୍ଦ୍ଦାର ସରୋବର ଡ୍ୟାମର ପରିଦର୍ଶନ କରିବା ଏବଂ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ଏଥିରେ ପରିବର୍ତ୍ତନ ହୋଇଥିଲା ଏବଂ ପ୍ରଧାନମନ୍ତ୍ରୀ ମୋଦୀ ନିଜ ମାଙ୍କୁ ଭେଟିବା ପୂର୍ବରୁ ସର୍ଦ୍ଦାର ସରୋବର ଡ୍ୟାମ ପରିଦର୍ଶନ କରିଥିଲେ ଏବଂ କେଓ୍ଵଡିଆରେ ରାଲିକୁ ସମ୍ବୋଧିତ କରିଥିଲେ। 

ପ୍ରଧାନମନ୍ତ୍ରୀ ମୋଦୀ ଆସିବା ପୂର୍ବରୁ ଗାନ୍ଧୀନଗରରେ ତାଙ୍କ ମା ହୀରାବେନଙ୍କ ବାସଭନ ବାହାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏଥିରେ ବଡ଼ ସଂଖ୍ୟାରେ ଛୋଟ ପିଲା ମଧ୍ୟ ସାମିଲ ଥିଲେ। ଏଠାରେ ମୋଦୀ ପହଞ୍ଚିବା ମାତ୍ରେ ତାଙ୍କ ସମର୍ଥନରେ ଲୋକେ ନାରା ଦେଇଥିଲେ। ପ୍ରଧାନମନ୍ତ୍ରୀ ସେଠାରେ ଲୋକଙ୍କ ସହିତ ସେଲଫି ମଧ୍ୟ ନେଇଥିଲେ।