ଦେଶର ସବୁଠୁ ଦୀର୍ଘ କେବୁଲ ବ୍ରିଜ୍ ‘ସୁଦର୍ଶନ ସେତୁ’ ର ଉଦଘାଟନ କଲେ ମୋଦି

ଗୁଜରାଟରେ ଦେଶର ସବୁଠୁ ଦୀର୍ଘ କେବୁଲ ବ୍ରିଜ୍ ‘ସୁଦର୍ଶନ ସେତୁ’ ର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି। ଦୁଇ ଦିନିଆ ଗୁଜରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି ସକାଳେ ଦ୍ୱାରକା ମନ୍ଦିର ଯାଇ ପ୍ରଧାନମନ୍ତ୍ରୀ ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିରରେ କିଛି ସମୟ ରହିବା ପରେ ନବନିର୍ମିତ ସୁଦର୍ଶନ ସେତୁର ଲୋକାର୍ପଣ କରିଛନ୍ତି ।

ଏହା ସହ ସେତୁରେ କିଛି ସମୟ ବୁଲିଥିଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଓ ବିଜେପି ପ୍ରଦେଶ ଅଧ୍ୟକ୍ଷ  ମଧ୍ୟ ସାମିଲ ହୋଇଥିଲେ ।

୯୮୦ କୋଟି ଟଙ୍କା ବ୍ୟୟରେ ଏହି ସୁଦର୍ଶନ ସେତୁ ନିର୍ମାଣ କରାଯାଇଛି । ଏହି ସେତୁ ଓଖା ମୁଖ୍ୟ ଭୁମିକୁ ଦ୍ୱାରକା ଦ୍ୱୀପ ସହ ସଂଯୋଗ କରୁଛି । ୨.୩୨ କିଲୋମିଟର ଲମ୍ବା ସୁଦର୍ଶନ ସେତୁ ଦେଶର ସବୁଠୁ ଲମ୍ବା କେବୁଲ ଆଧାରିତ ସେତୁ । ଏହି ସେତୁରେ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତିରେ ସଜ୍ଜିତ ଫୁଟ୍ପାଥ ରହିଛି । ସେତୁରେ ସୌର ପ୍ୟାନେଲ ଲାଗିଛି ଯାହା ଏକ ମେଗାୱାଟ୍ ବିଜୁଳି ଉତ୍ପାଦନ କରିବ । ଏହି ସେତୁ ପରିବହନକୁ ସହଜ କରିବା ସହ ଦ୍ୱାରକା ଏବଂ ଭେଟ ଦ୍ୱାରକା ମଧ୍ୟରେ ଯାତ୍ରା ସମୟକୁ ହ୍ରାସ କରିବ । ଏହା ସହ ପ୍ରଧାନମନ୍ତ୍ରୀ ଆଜି ୫୨ ହଜାର କୋଟିରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ । ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ରହିଛି ସ୍ୱାସ୍ଥ୍ୟ, ସଡ଼କ, ରେଳ, ପେଟ୍ରୋଲିୟମ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର । ରାଜକୋଟ, ଭଟିଣ୍ଡା, ରାୟବରେଲି, କଲ୍ୟାଣୀ ଏବଂ ମଙ୍ଗଳାଗିରିରେ ୫ଟି ନୂଆ ଏମ୍ସର ଲୋକାର୍ପଣ କରାଯିବ । ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ।