ଭୁଟାନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁଟାନ ପ୍ରଧାନମନ୍ତ୍ରୀ ଡକ୍ଟର ଲୋଟେ ସେରିଙ୍ଗ୍ଙ୍କ ସହ ଶନିବାର ଥିମ୍ପୁରେ କଥାବାର୍ତ୍ତା କରିଛନ୍ତି। ଦୁଇ ନେତା ଦ୍ୱିପକ୍ଷୀୟ ସମ୍ପର୍କର ସମୀକ୍ଷା କରିବା ସହ ଏଥିରେ ଉନ୍ନତି ଆଣିବା ଦିଗରେ ପଦକ୍ଷେପ ନେବାକୁ ଏକମତ ହୋଇଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ପ୍ରଥମେ ମୁହାଁମୁହିଁ କଥାବାର୍ତ୍ତା ଓ ପରେ ପ୍ରତିନିଧିସ୍ତରୀୟ କଥାବାର୍ତ୍ତା ହୋଇଛି। ଦୁଇ ନେତା ଥିମ୍ପୁରେ ୭୨୦ ମେଗାୱାଟ୍ ଶକ୍ତିସମ୍ପନ୍ନ ମାଙ୍ଗ୍ଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପକୁ ମିଳିତ ଭାବେ ଉଦ୍ଘାଟନ କରିଛନ୍ତି। ଭୁଟାନରେ ଭାରତ ଦ୍ୱାରା ନିର୍ମିତ ଏହା ହେଉଛି ଚତୁର୍ଥ ପ୍ରକଳ୍ପ।
ଭାରତୀୟ ମହାକାଶ ଗବେଷଣା ସଙ୍ଗଠନଦ୍ୱାରା ବିକଶିତ ଦକ୍ଷିଣ-ଏସୀୟ ଉପଗ୍ରହର ଗ୍ରାଉଣ୍ଡ୍ ଆର୍ଥ ଷ୍ଟେସନ୍କୁ ଦୁଇ ନେତା ଉଦ୍ଘାଟନ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ‘ରୂପେ କାର୍ଡ଼’ର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଭାରତର ଜାତୀୟ ‘ଜ୍ଞାନ’ ନେଟ୍ୱର୍କ ଓ ଭୁଟାନ୍ର ‘ଦ୍ରୁକ୍ ରେନ୍’ ମଧ୍ୟରେ ଆନ୍ତଃ ସଂଯୋଗ ପାଇଁ ଇ-ଫଳକକୁ ମଧ୍ୟ ଉନ୍ମୋଚନ କରାଯାଇଛି। ଭାରତ ଓ ଭୁଟାନ୍ ବିଜ୍ଞାନ, ବୈଷୟିକ ଜ୍ଞାନ, ଇଞ୍ଜିନିୟରିଂ ଓ ଗଣିତ ଏବଂ ନ୍ୟାୟିକ କ୍ଷେତ୍ରରେ ୧୦ଟି ବୁଝାମଣା ସ୍ମାରକ ପତ୍ର ସ୍ୱାକ୍ଷରିତ କରିଛନ୍ତି। ରୟାଲ୍ ୟୁନିଭର୍ସିଟି ଅଫ୍ ଭୁଟାନ୍ ଓ ଭାରତର ମୁମ୍ବାଇ, କାନପୁର ଓ ଦିଲ୍ଲୀ ଆଇ.ଆଇ.ଟି. ଏବଂ ସିଲ୍ଚର୍ ଏନ୍.ଆଇ.ଆଇ.ଟି. ମଧ୍ୟରେ ତିନୋଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।
ବିଚାର ବିଭାଗ କ୍ଷେତ୍ରରେ ବେଙ୍ଗାଲୁରୁ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓ ଜିଗ୍ନେ ସିଂଘେ ସ୍କୁଲ୍ ଅଫ୍ ଲ’ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହାଛଡ଼ା ଭୋପାଳ ନ୍ୟାୟିକ ଏକାଡେମୀ ଓ ଭୁଟାନ୍ ନ୍ୟାସ୍ନାଲ୍ ଲିଗାଲ୍ ଇନ୍ଷ୍ଟିଚ୍ୟୁଟ୍ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ବିମାନ ଦୁର୍ଘଟଣା ଓ ଏହାର ତଦନ୍ତ ସଂକ୍ରାନ୍ତରେ ଦୁଇ ଦେଶ ମଧ୍ୟରେ ଏକ ବୁଝାମଣା ସ୍ମାରକ ପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି। ମହାକାଶ କ୍ଷେତ୍ରରେ ସହଯୋଗ ପାଇଁ ଇସ୍ରୋ ଭୁଟାନ୍ର ଆଇ.ଟି. ଓ ଟେଲି ଯୋଗାଯୋଗ କ୍ଷେତ୍ର ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଛି।
ପ୍ରଧାନମନ୍ତ୍ରୀ ମୋଦୀ ଜଳ ବିଦ୍ୟୁତ୍ କ୍ଷେତ୍ରରେ ସହଯୋଗର ୫୦ ବର୍ଷ ପୂର୍ତ୍ତି ପାଳନ ପାଇଁ ଏକ ସ୍ମାରକୀ ଡାକଟିକଟକୁ ଉନ୍ମୋଚନ କରିଛନ୍ତି। ପୂର୍ବରୁ ମୋଦୀଙ୍କୁ ଭୁଟାନ୍ ରାଜା ଜିଗ୍ମେ ଖେସର ନାମ୍ଗ୍ୟେଲ୍ ୱାଙ୍ଗ୍ଚୁକ୍ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ପ୍ରଧାନମନ୍ତ୍ରୀ ଭୁଟାନ୍କୁ ଦୁଇ ଦିନ ଗସ୍ତରେ ଯାଇ ଶନିବାର ପାରୋଠାରେ ପହଞ୍ଚିଥିଲେ।
ଭୁଟାନ୍ ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାରର ବରିଷ୍ଠ ଅଫିସରମାନେ ତାଙ୍କୁ ବିମାନ ବନ୍ଦରରୁ ପାଛୋଟି ନେଇଥିଲେ। ଏହାପରେ ମୋଦୀଙ୍କୁ ସାମରିକ ଅଭିବାଦନ ଦିଆଯାଇଥିଲା। ପାରୋରୁ ଥିମ୍ପୁ ପର୍ଯ୍ୟନ୍ତ ୫୦ କିଲୋମିଟର ଯାତ୍ରା ସମୟରେ ରାସ୍ତାର ଦୁଇ କଡ଼ରେ ଛୋଟ ପିଲା ଓ ଯୁବକ ଯୁବତୀମାନେ ମୋଦୀଙ୍କୁ ସ୍ୱାଗତ କରିବାପାଇଁ ଭୁଟାନ୍ ଜାତୀୟ ପତାକା ଧରି ଧାଡ଼ିରେ ଛିଡ଼ା ହୋଇଥିଲେ।