ଆଜି ରାତି ୮ଟାରେ କୋରୋନାକୁ ନେଇ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି

ନୂଆଦିଲ୍ଲୀ: ଆଜି ରାତି ୮ଟାରେ କୋରୋନା ଭାଇରସ୍ କୁ ନେଇ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିବେ । ଏ ସଂକ୍ରାନ୍ତରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ବିଶ୍ୱ ମହାମାରୀ କରୋନାଭାଇରସର ବଢ଼ିଚାଲିଥିବା ପ୍ରକୋପ ସମ୍ବନ୍ଧରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ଦେଶବାସୀଙ୍କୁ ଜଣାଇବି ।

ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦେଶବାସୀଙ୍କୁ ଦ୍ୱିତୀୟ ସମ୍ବୋଧନ । ଗତ ଗୁରୁବାର ଦିନ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କରୋନାଭାଇରସ୍ ସମ୍ବନ୍ଧୀୟ ବିପଦ କଥା ଅବଗତ କରାଇଥିଲେ । ସାମାଜିକ ଦୂରତ୍ୱ ଘରେ ଥାଇ କାମ କରିବା ସହ ସମାଜରେ ନିଜକୁ ଏବଂ ଅନ୍ୟମାନଙ୍କୁ ନିରାପଦ ରଖିବା ପାଇଁ ଶପଥ କରିବାକୁ ସେ ଦେଶବାସୀଙ୍କୁ ପ୍ରବର୍ତାଇଥିଲେ । ଏହାଛଡ଼ା ସମଗ୍ର ଦେଶରେ ଗତ ରବିବାର ଦିନ “ଜନତା କର୍ଫ୍ୟୁ’ ପାଳନ କରିବାକୁ ଅନୁରୋଧ କରିଥିଲେ ।

କିନ୍ତୁ, ଜନତା “ଲକଡାଉନ୍’କୁ ଖାମଖିଆଲି ଭାବେ ଗ୍ରହଣ କରୁଥିବାରୁ ସୋମବାର ଦିନ ପ୍ରଧାନମନ୍ତ୍ରୀ ଟୁଇଟ୍ କରି କ୍ଷୋଭ ପ୍ରକାଶ କରିଥିଲେ । ଲକଡାଉନ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ ।