ନୂଆଦିଲ୍ଲୀ: ଡିସ୍କଭରି ଚ୍ୟାନେଲର ଲୋକପ୍ରିୟ କାର୍ଯ୍ୟକ୍ରମ ‘ମ୍ୟାନ ଭର୍ସେସ୍ ଓ୍ୱାଇଲ୍ଡ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖିବାକୁ ମିଳିବ। ଆଜି ‘ମ୍ୟାନ୍ ଭର୍ସେସ ୱାଇଲଡ୍ ’ କାର୍ଯ୍ୟକ୍ରମର ଉପସ୍ଥାପକ ବେୟର ଗ୍ରିଲ୍ସ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ୧୨ ଅଗଷ୍ଟରେ ଡିସ୍କଭରି ଚ୍ୟାନେଲରେ ରାତି ୯ଟାରେ ପ୍ରସାରଣ ହେବ। ଶୋ’ର ଉପସ୍ଥାପକ ବେୟର ଗ୍ରିଲ୍ସ ଟ୍ୱିଟ କରି ଉଲ୍ଲେଖ କରିଛନ୍ତି ଯେ ୧୮୦ଟି ଦେଶର ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ପାଇବେ।
ବେୟର ଗ୍ରିଲ୍ସ ଯେଉଁ ଭିଡିଓ ଟ୍ୱିଟରରେ ପୋଷ୍ଟ କରିଛନ୍ତି ସେଥିରେ ପ୍ରଧାନମନ୍ତ୍ରୀ ମୋଦି ଏକ ଗାଡ଼ିରେ ଆସୁଥିବାର ଦେଖିବାକୁ ମିଳିଛି। ଏହାପରେ ମୋଦି ଉପସ୍ଥାପକଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି। ଏହି ଅବସରରେ ଉଭୟ ଉପସ୍ଥାପକ ଏବଂ ପ୍ରଧାନମନ୍ତ୍ରୀ ଏକ ନୌକାରେ ବସିଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ମଧ୍ୟ ଆସିଥିଲେ। ଓବାମା ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଓବାମା ଜଳବାୟୁ ପରିବର୍ତ୍ତନ ଏବଂ ବନ୍ୟ ଜୀବଜନ୍ତୁଙ୍କୁ ନେଇ ବିଭିନ୍ନ ପ୍ରସଙ୍ଗରେ ବେୟରଙ୍କ ସହ ଆଲୋଚନା କରିଥିଲେ। ତେବେ ପୁଲୱାମାରେ ହୋଇଥିବା ବଡ଼ ଧରଣର ଆତଙ୍କୀ ଆକ୍ରମଣ ସମୟରେ ମୋଦି ଏହି ଶୋ’ର ଶୁଟିଂ କରୁଥିବାର ଅଭିଯୋଗ ଆଣି ତାଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ।