୩ ମେ ଯାଏ ବଢିଲା ଦେଶରେ ଲକଡାଉନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଲକଡାଉନ ଅବଧିକୁ ୩ ମେ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଦେଶର ମଙ୍ଗଳ ପାଇଁ ଆଉ ୧୯ ଦିନ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି । ସେଥିପାଇଁ ଦେଶବାସୀ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି ।

ଏପ୍ରିଲ ୨୦ ଯାଏ ଏହି କଟକଣା କଡ଼ାକଡ଼ି ଭାବେ ପାଳନ କରାଯିବ। ଯଦି ଏହି ସମୟସୀମା ମଧ୍ୟରେ ଯେଉଁ ସବୁ ସ୍ଥାନରେ କରୋନା ହଟସ୍ପଟ ସୃଷ୍ଟି ହେବନାହିଁ। ସେଠାରେ କଟକଣାକୁ ସମାନ୍ୟ କୋହଲ କରାଯିବ ବୋଲି ମୋଦି କହିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ପାଇଁ ଗାଇଡଲାଇନ ଆସନ୍ତାକାଲି ପ୍ରକାଶ କରାଯିବ। ଏପ୍ରିଲ ୨୦ ଯାଏ ସମସ୍ତ ଜିଲ୍ଲା, ରାଜ୍ୟ ଓ ସ୍ଥାନୀୟ ଅଞ୍ଚଳର ସ୍ଥିତି ତୀକ୍ଷ୍ଣ ଭାବେ ସମୀକ୍ଷା କରାଯିବ।

ଯେଉଁ ରାଜ୍ୟରେ ଲକଡାଉନ କଟକଣା କଡ଼ାକଡ଼ି ଭାବେ ପାଳନ କରାଯାଉଛି, ସେଠାରେ ସାମାନ୍ୟ ନୀତି କୋହଳ ପାଇଁ ସର୍ତ୍ତ ମୂଳକ ଅନୁମତି ଦିଆଯିବ। ଲକଡାଉନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସେ ରାଜ୍ୟଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଏଥିସହ ଏହି ସମୟରେ ଲୋକଙ୍କୁ ଘରୁ ନ ବାହାରିବା ପାଇଁ ମଧ୍ୟ କହିଛନ୍ତି।

ପୂର୍ବରୁ ମାର୍ଚ୍ଚ ୨୫ରୁ ୨୧ ଦିନିଆ ଲକଡାଉନ ଘୋଷଣା କରାଯାଇଥିଲା। ଆଜି ମଧ୍ୟରାତ୍ରରେ ଏହି ଅବଧି ଶେଷ ହେବାର ଥିଲା। କିନ୍ତୁ କରୋନା କାୟାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ଲକଡାଉନ ୨.୦ ଲାଗୁ କରିଛନ୍ତି।

ଏହି ଦ୍ୱିତୀୟ ଲକଡାଉନର ଅବଧି ୧୯ ଦିନ ରହିଛି। ଅର୍ଥାତ ୧୫ ଏପ୍ରିଲରୁ ଏହା କାର୍ଯ୍ୟକାରୀ ହୋଇ ମେ’ ୩ ଯାଏ ଲକଡାଉନ ପାଳନ କରାଯିବ। ପ୍ରଥମ ପର୍ଯ୍ୟାୟ ଲକଡାଉନ ବେଳେ ପ୍ରାୟ ସବୁ କ୍ଷେତ୍ରରେ କଟକଣା ଲାଗିଥିଲା। କିନ୍ତୁ ଏଥର ଜାନ ବି ଓ ଜାହାନ ବି ନୀତି ଆପଣାଇଛନ୍ତି ମୋଦି ସରକାରର। ଜୀବନ ସହ ଅର୍ଥନୀତିକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।