ଜି-୨୦ ସମ୍ମିଳନୀରେ ଯୋଗ ଦେବା ପାଇଁ ଜାପାନରେ ମୋଦୀ

ଓସାକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସକାଳୁ ଜାପାନରେ ପହଂଚିଛନ୍ତି । ମୋଦୀ ଜାପାନର ଓସାକା ସହରେ ଆୟୋଜିତ ହେଉଥିବା ବହୁ ପ୍ରତୀକ୍ଷିତ ଜି-୨୦ ସମ୍ମିଳନୀରେ ଯୋଗ ଦେଉଛନ୍ତି । ଏହି ସମ୍ମିଳନୀରେ ଯୋଗ ଦେବାକୁ ମୋଦୀ ବୁଧବାର ରାତି ଜାପାନ ଗସ୍ତରେ ଏକ ସ୍ୱତନ୍ତ୍ର ବିମାନରେ ନୂଆଦିଲ୍ଲୀରୁ ବାହାରିଥିଲେ । ଜାପାନରେ ପହଂଚିବା ପରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି ।

ଗସ୍ତ ପୂର୍ବରୁ ମୋଦୀ ବୁଧବାର କହିଥିଲେ, ଜି-୨୦ ସମ୍ମିଳନୀରେ ବହୁପକ୍ଷବାଦରେ ସଂଶୋଧନ ପାଇଁ ଭାରତର ମଜବୁତ ସମର୍ଥନ ଉପରେ ଜୋର ଦେବେ, ଯାହାକି ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ବିଷୟ । ମୋଦୀ ନିଜର ବୟାନରେ କହିଥିଲେ, ମହିଳା ସଶକ୍ତିକରଣ, କୃତ୍ରିମ ଯନ୍ତ୍ରପାତି ଓ ଆତଙ୍କବାଦ ଭଳି ସମସ୍ୟାର ଉପରେ ଜି-୨୦ରେ ଆଲୋଚନା ହେବ । 

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଶିଖର ସମ୍ମିଳନୀ ବହୁପକ୍ଷବାଦରେ ସଂଶୋଧନ ପାଇଁ ମଜବୁତ ସମର୍ଥନକୁ ପୁଣି ଥରେ ଆଲୋଚନା କରିବା ଗୁରୁତ୍ୱପୂର୍ଣ୍ଣ ଅବସର ଆଣିବ, ଯାହା କି ଦ୍ରୁତ ଗତିରେ ପରିବର୍ତ୍ତନ ହେଉଥିବା ନିୟମ-ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇ ପାରିବ । ସେ କହିଛନ୍ତି, ସମ୍ମିଳନୀ ମାଧ୍ୟମରେ ୪-୫ ବର୍ଷ ମଧ୍ୟରେ ହୋଇଥିବା ଭାରତର ବିକାଶମୂଳକ କାମକୁ ଉପସ୍ଥାପନ କରିବାକୁ ସୁଯୋଗ ମିଳିବ । 

ସେ କହିଛନ୍ତି, ଓସାକା ସମ୍ମିଳନୀ ୨୦୨୨ ସମ୍ମିଳନୀ ଆୟୋଜନ କରିବାରେ ବହୁ ଶିକ୍ଷା ମିଳିବ । ଏହି ସମ୍ମିଳନୀ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ । ଭାରତ ୨୦୨୨ରେ ସ୍ୱାଧୀନତାପ୍ରପ୍ତିର ୭୫ତମ ବାର୍ଷିକ ପାଳନ କରିବ । ସମ୍ମିଳନୀ ମାଧ୍ୟମରେ ରୁଷିଆ, ଭାରତ ଓ ଚୀନ ସହିତ ବୈଠକ ହେବ ଏବଂ ଆୟୋଜନ ପାଇଁ ମୁଁ ଉତ୍ସାହିତ ଅଛି । ବ୍ରିକ୍ସ (ବ୍ରାଜିଲ, ରୁଷିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା) ଏବଂ ଜେଏଆଇ (ଜାପାନ, ଆମେରିକା ଓ ଭାରତ) ନେତାଙ୍କ ସହିତ ସ୍ୱତନ୍ତ୍ର ବୈଠକରେ ଅଂଶ ଗ୍ରହଣ କରିବି ।