ଏକବିଂଶ ଶତାବ୍ଦୀରେ ଉର୍ଜା ଆବଶ୍ୟକତାର ବଡ ମାଧ୍ୟମ ହେବ: ପ୍ରଧାନମନ୍ତ୍ରୀ

ରାଷ୍ଟ୍ର ଉଦ୍ଦେଶ୍ୟରେ ୭୫୦ ମେଗାୱାଟ ରେୱା ସୌର ପ୍ରକଳ୍ପ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ସୌର ଶକ୍ତି କେବଳ ଆଜି ନୁହେଁ ବରଂ ଏକବିଂଶ ଶତାବ୍ଦୀରେ ଉର୍ଜା ଆବଶ୍ୟକତାର ଗୋଟିଏ ବଡ ମାଧ୍ୟମ ହେବ । କାରଣ ସୌର ଉର୍ଜା ସ୍ଥିର, ସ୍ୱଚ୍ଛ ଓ ସୁରକ୍ଷିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସି ଜରିଆରେ ମଧ୍ୟପ୍ରଦେଶରେ ୭୫୦ ମେଗାୱାଟ ବିଶିଷ୍ଟ ରେୱା ଅଲଟ୍ରା-ମେଗା ସୋଲାର ପ୍ଲାଣ୍ଟ(ଆରୟୁଏମଏସଏଲ) ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ଅବସରରେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେଉଁଭଳି ଭାବେ ଭାରତରେ ସୌର ଶକ୍ତି ଉପରେ କାମ ଚାଲୁଅଛି, ଆଗାମୀ ଦିନରେ ଏହା ଉପରେ ଆଲୋଚନା ବଢ଼ିବ । ଏହିପରି ବଡ ପଦକ୍ଷେପ କାରଣରୁ ଭାରତର ସ୍ୱଚ୍ଛ ଉର୍ଜା ସବୁଠୁ ବଡ ଆକର୍ଷିତ ବଜାର ବୋଲି ମନେ କରାଯାଉଛି । ସରକାରଙ୍କ ଅନେକ କାର୍ଯ୍ୟକ୍ରମ ପରିବେଶ ସୁରକ୍ଷା ଏବଂ ଇଜ୍ ଅଫ୍ ଲିଭିଂକୁ ପ୍ରାଥମିକତା ଦେଉଅଛି । ପରିବେଶର ସୁରକ୍ଷା କେବଳ ପ୍ରକଳ୍ପ ସହିତ ସୀମିତ ହୋଇନାହିଁ ବରଂ ଜୀବନଶୈଳି ସହ ଦେଇ ଗତି କରୁଛି ।

ଏହି କାର୍ଯ୍ୟକ୍ରମରେ ଭିସି ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଥିଲେ । ଏ ପ୍ରକଳ୍ପ ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ୭୫୦ ମେଗାୱାଟ ବିଶିଷ୍ଟ ଅଲଟ୍ରାମେଗା ପ୍ରକଳ୍ପ ଭାରତକୁ ସବୁଜ ଅର୍ଥନୀତି ଆଡ଼କୁ ଆଗେଇ ନେବାରେ ନୂଆ ଅଧ୍ୟାୟ । ରେୱା ଅଲଟ୍ରା-ମେଗା ସୋଲାର ପ୍ଲାଣ୍ଟ ଏସିଆର ସର୍ବବୃହତ୍ତମ ସୌରଶକ୍ତି ପ୍ଲାଣ୍ଟ ଏବଂ ଏହା ସ୍ୱଚ୍ଛ ଉର୍ଜା କ୍ଷେତ୍ରରେ ରେୱାକୁ ବିଶ୍ୱ ଉର୍ଜା ମ୍ୟାପର ପ୍ରମୁଖ ପେଣ୍ଠସ୍ଥଳି ଭାବେ ସ୍ଥାନିତ କରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଅକ୍ଷୟ ଶକ୍ତି କ୍ଷେତ୍ରରେ ଏକ ଅଗ୍ରଣୀ ଦେଶ ଭାବେ ଉଭା ହୋଇଛି । ଜଳବାୟୁ ପରବର୍ତ୍ତନ ଲକ୍ଷ୍ୟ ହାସଲ କରିବାରେ ଭାରତ ଆଗଧାଡ଼ିରେ ରହିଛି ଏବଂ ଭବିଷ୍ୟତ ପାଇଁ ନିରନ୍ତର ସ୍ଥିର, ସ୍ୱଚ୍ଛ ଓ ସୁରକ୍ଷିତ ଉର୍ଜା ଦିଗରେ କାମ କରୁଛି । ଏସିଆର ସର୍ବବୃହତ୍ତ ସୌରଶକ୍ତି ପ୍ଲାଟ୍ ମଧ୍ୟପ୍ରଦେଶରେ ହୋଇଥିବାରୁ ରାଜ୍ୟର  ଜନସାଧାରଣ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ପ୍ରଧାନ । ଏହି ରେୱା ଶକ୍ତି ପ୍ରକଳ୍ପ ଦେଶର ସୌର ଉର୍ଜା କ୍ଷମତାକୁ ବୃଦ୍ଧି କରିବା ସହ ଦେଶର ଉର୍ଜା ସୁରକ୍ଷା ଓ ବିକାଶକୁ ଆଗକୁ ନେବ ବୋଲି କହିଛନ୍ତି ।

ଏହି ଉଦଘାଟନ କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଚୌହ୍ୱାନ ଏବଂ ମନ୍ତ୍ରୀ ରାଜ କୁମାର ସିଂହ ଓ ନରେନ୍ଦ୍ର ସିଂହ ତୋମାର ଉପସ୍ଥିତ ଥିଲେ । ଉଲ୍ଲେଖନୀୟ ଯେ, ୧୫୦୦ ହେକ୍ଟର ପରିମିତ ଅଞ୍ଚଳରେ ଥିବା ସୌର ଉଦ୍ୟାନରେ ୫୦୦ ହେକ୍ଟର ପରିମିତରେ ଥିବା ଏହି ସୌର ପ୍ରକଳ୍ପର ୩ଟି ୟୁନିଟରୁ ୨୫୦ ମେଗାୱାଟ କରି ସୌରଶକ୍ତି ଉତ୍ପାଦିତ ହେବ । ରେୱା ଅଲଟ୍ରା ମେଗା ସୌର ଲିମିଟେଡ (ଆରୟୁଏମଏସଏଲ), ମଧ୍ୟପ୍ରଦେଶ ଊର୍ଜା ବିକାଶ ଲିମିଟେଡ ଓ ଭାରତ ସୋଲାର ଏନର୍ଜୀ ନିଗମର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ ନିର୍ମିତ ହୋଇଛି । ଆରୟୁଏମଏସଏଲକୁ ଏହି ଉଦ୍ୟାନ ଲାଗି ୧୩୮ କୋଟି ଟଙ୍କାର ଆର୍ଥିକ  ସହାୟତା ପ୍ରଦାନ କରାଯାଇଛି । ସୌର ଉଦ୍ୟାନଟି ନିର୍ମିତ ହେବା ପରେ ଏହାର ବିଭିନ୍ନ ୟୁନିଟରୁ ସୌର ଶକ୍ତି ଉତ୍ପାଦନ ଆରମ୍ଭ କରାଯାଇଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ ନିର୍ମିତ ରେୱା ସୌର ପ୍ରକଳ୍ପ ଅନ୍ୟାନ୍ୟ ରାଜ୍ୟମାନଙ୍କ ନିମନ୍ତେ ଏକ ଉଦାହରଣ ପାଲଟିବ । ବିଦ୍ୟୁତ ଶୁଳ୍କ ଦୃଷ୍ଟିରୁ ସମଗ୍ର ଦେଶରେ ଏହି ପ୍ରକଳ୍ପ ଖୁବ ମିତବ୍ୟୟୀ । ସୌର ଶକ୍ତି ଶୁଳ୍କ ୨୦୧୭ରେ ୟୁନିଟ ପିଛା ୪.୫୦ ଟଙ୍କା ଥିବା ବେଳେ ରେୱା ପ୍ରକଳ୍ପରୁ ମିଳୁଥିବା ସୌର ଶକ୍ତି ୟୁନିଟ ପିଛା ୨.୯୭ ଟଙ୍କା ଧାର୍ଯ୍ୟ ହୋଇଥିଲା । ଏହି ପ୍ରକଳ୍ପ ଯୋଗୁଁ ବାର୍ଷିକ ୧୫ ଲକ୍ଷ ଟନ ପର୍ଯ୍ୟନ୍ତ ଅଙ୍ଗାରକାମ୍ଳ ବାଷ୍ପ ହ୍ରାସ ପାଇବ । ଉଦ୍ଭାବନ ଓ ନିର୍ମାଣ ଶୈଳୀ ଦୃଷ୍ଟିରୁ ଏହି ପ୍ରକଳ୍ପ ଦେଶ ଓ ଦେଶ ବାହାରେ ବେଶ ସ୍ୱୀକୃତି ଲାଭ କରିଛି । ଏହି ଅକ୍ଷୟ ଶକ୍ତି ପ୍ରକଳ୍ପ ଦେଶରେ ରାଜ୍ୟ ବାହାରେ ଅନ୍ୟମାନଙ୍କୁ ଶକ୍ତି ଯୋଗାଇବାରେ ଦେଶର ପ୍ରଥମ ପ୍ରକଳ୍ପ ବିବେଚିତ ହୋଇଛି । ପ୍ରକଳ୍ପରୁ ଶତକଡା ୨୪ ଭାଗ ସୌରଶକ୍ତି ଦିଲ୍ଲୀ ମେଟ୍ରୋ ନେଉଥିବା ବେଳେ ଅବଶିଷ୍ଟ ୭୬ ଭାଗ ମଧ୍ୟପ୍ରଦେଶ ରାଜ୍ୟର ଡ଼ିସକମ ନେଉଛି । ଏହି ରେୱା ପ୍ରକଳ୍ପ ଯୋଗୁଁ ଆଗାମୀ ୨୦୨୦ ସୁଦ୍ଧା ଦେଶରେ ୧୭୫ ଗିଗାୱାଟ ସୌରଶକ୍ତି ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାରେ ରେୱା ପ୍ରକଳ୍ପ ବିଶେଷ ସହାୟକ ହେବ ।