ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ହେଲା ୬୦ ମିଲିୟନ ଫଲୋଅର୍ସ

ନୂଆଦିଲ୍ଲୀ: ଦିନକୁ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବୃଦ୍ଧି ପାଉଛି । ବିଶ୍ୱର ବହୁ ପ୍ରଭାବଶାଳୀ ନେତାଙ୍କ ଲିଷ୍ଟର ଏବେ ଭାରତର ପ୍ରଧାନମନ୍ତ୍ରୀ । ଚୀନ ବିରୋଧରେ ଦୃଢ଼ ପଦକ୍ଷେପ ହେଉ ଅବା ଭାରତରେ ୩୭୦ ଧାରା ଉଚ୍ଛେଦ, ସଫଳତା ପୂର୍ବକ କରୋନା ମୁକାବିଲା ହେଉ ଅବା ଅନ୍ତର୍ଜାତୀୟ ସ୍ତରରେ ନିଜର ଆଭିମୁଖ୍ୟ ଏସବୁ ପାଇଁ ପୁରା ବିଶ୍ୱରେ ମୋଦିଙ୍କ ଲୋକପ୍ରିୟତା ବଢ଼ିଛି । ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ୱିଟ୍‌ରରେ ମିଳିଛି ଏକ ନିଆରା ସଫଳତା । ଟ୍ୱିଟ୍‌ରରେ ଏବେ ମୋଦିଙ୍କ ଫଲୋଅର୍ସ ୬୦ ମିଲିୟନ୍ ଛୁଇଁଛି ।

ବିଶ୍ୱର ଅନ୍ୟ ନେତାଙ୍କ ଭଳି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ । କେବଳ ସକ୍ରିୟ ନୁହନ୍ତି ମୋଦି ଏହାର ସର୍ବୋତ୍ତମ ଉପଯୋଗ ମଧ୍ୟ କରୁଛନ୍ତି । ଏଣୁ ମାଇକ୍ରୋ ବ୍ଲଗିଙ୍ଗ ସାଇଟ୍ ଟ୍ୱିଟରରେ ମୋଦିଙ୍କୁ ଆଉ ଏକ ବଡ ସଫଳତା ମିଳିଛି । ତାହା ହେଉଛି ତାଙ୍କ ଫଲୋର୍ସଙ୍କ ସଂଖ୍ୟା । ଏବେ ମୋଦିଙ୍କୁ ସାରା ବିଶ୍ୱରେ ୬୦ ମିଲିୟନ ଲୋକେ ଫଲୋ କରୁଥିବା ଜଣାପଡିଛି ।

ଗତ ଡିସେମ୍ବର ୨୦୧୯ରେ ମୋଦିଙ୍କ ଫଲୋର୍ସଙ୍କ ସଂଖ୍ୟା ଟ୍ୱିଟରରେ ୫ କୋଟି ଥିଲା । ମାତ୍ର ୮ ମାସରେ ତାଙ୍କ ଫଲୋର୍ସଙ୍କ ସଂଖ୍ୟାରେ ୧ କୋଟି ବୃଦ୍ଧି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟରରେ ବେଶ୍ ଆକ୍ଟିଭ ଅଛନ୍ତି । ଏଥିରେ ସେ ଦେଶବାସୀଙ୍କୁ ସମ୍ବୋଧିତ କରିବା ସହ ଜନତାଙ୍କ ଲାଗି ଅନେକ ଘୋଷଣା ମଧ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ଆକାଉଣ୍ଟ ୨୦୦୯ ମସିହାରେ ଖୋଲିଥିଲା ।

ମୋଦିଙ୍କ ଫଲୋଅରଙ୍କ ମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ମଧ୍ୟ ଅଛନ୍ତି । ଓବାମାଙ୍କ ଫଲୋଅର୍ସଙ୍କ ସଂଖ୍ୟା ମୋଦିଙ୍କଠାରୁ ୨ ଗୁଣରୁ ବି ଅଧିକ । ଟ୍ୱିଟରରେ ଓବାମାଙ୍କ ଫଲୋରଙ୍କ ସଂଖ୍ୟା ୧୨୦.୭ ମିଲିୟନ ଅର୍ଥାତ ୧୨କୋଟିରୁ ଅଧିକ ଲୋକେ ତାଙ୍କୁ ଫଲୋ କରୁଛନ୍ତି । ଆମେରିକାର ଏବେକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୮୩.୭ ମିଲିୟନ ଫଲୋର୍ସ ଅଛନ୍ତି । ତେବେ ମୋଦିଙ୍କ ଫଲୋଅର୍ସଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଇଥିବା ବେଳେ ଏନେଇ ସୋସିଆଲ ମିଡିଆରେ ଛୁଟିଛି ଅଭିନନ୍ଦନର ସୁଅ ।