୧୬ ତାରିଖରୁ ଆରମ୍ବ ହେବ ଦେଶରେ ଟିକାକରଣ ଅଭିଯାନ, ୩ କୋଟି ସ୍ବାସ୍ଥ୍ୟକର୍ମୀ ନେବେ ମାଗଣାରେ ଟିକା

ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫରେନ୍‌ସିଂ ଜରିଆରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ବର :  ଆସନ୍ତା ୧୬ ତାରିଖରୁ ଆରମ୍ବ ହେବ ଦେଶରେ ଟିକାକରଣ ଅଭିଯାନ। ଏହା ପୂର୍ବରୁ ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହିତ ସେରମ ଇନଷ୍ଟିଚ୍ୟୁଟକୁ ଟିକା ଦେବା ଲାଗି ଅର୍ଡର ଦିଆଯାଇଛି। ୨-୩ ଦିନ ଭିତରେ ରାଜ୍ୟରେ ଟିକା ପହଞ୍ଚିବ। ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫରେନ୍‌ସିଂ ଜରିଆରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦି। ୧୬ ତାରିଖରେ ବିଶ୍ବର ସବୁଠାରୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ୩ କୋଟି ସ୍ବାସ୍ଥ୍ୟକର୍ମୀ ଟିକା ନେବେ। ଆଗାମି କିଛି ମାସ ଭିତରେ ୩୦ କୋଟି ଲୋକ ଟିକା ନେବେ।   କୋଭିସିଲ୍‌ଡ ଏବଂ କୋଭାକ୍ସିନ ଦୁଇଟି ମେଡ଼ ଇନ ଇଣ୍ଡିଆ ଟିକାକୁ ଅନୁମୋଦନ ଦିଆଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିବା ବେଳେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସାମିଲ ହୋଇଥିଲେ।

ସେପଟେ ଟିକା ନେଇ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ରାଜ୍ୟ ସରକାର। ଟିକା ନିରାପଦ, ଫଳପ୍ରଦ ବୋଲି ଆଜି ପ୍ରେସ ବାର୍ତ୍ତାରେ କହିଛନ୍ତି  ରାଜ୍ୟ ସରକାରଙ୍କ କୋଭିଡ ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା।  କୋଭିଡ୍‌ ଟିକା ନେବା ବାଧ୍ୟତାମୂଳକ ହେବନାହିଁ। ପର୍ଯ୍ୟାୟ କ୍ରମେ ଟିକା ଦିଆଯିବାର ବ୍ୟବସ୍ଥା ହୋଇଛି। ଆମ ଦେଶର ଜଳବାୟୁ ଅନୁଯାୟୀ ଟିକା ପ୍ରସ୍ତୁତ ହୋଇଛି। ଟିକା ନେଲେ କିଛି ସାଇଡ଼ ଏଫେକ୍ଟ ନାହିଁ। କାହାକୁ ସାମାନ୍ୟ ଜ୍ବର ହେଲେ ବି ଅସୁବିଧା ନାହିଁ ବୋଲି ଜୟନ୍ତ ପଣ୍ଡା କହିଛନ୍ତି।

ଆଉ ଦୁଇ ରୁ ତିନି ଦିନ ମଧ୍ୟରେ ଓଡ଼ିଶାରେ ଟିକା ପହଞ୍ଚିଯିବ । ରାଜ୍ୟର ୧୬୦ଟି ସ୍ଥାନରେ ଟିକାକରଣ ହେବ। ଦୁଇଟି ଜାଗାରେ ଟୁୱେ କମ୍ୟୁନିକେସନ ରହିବ। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ କ୍ୟାପିଟାଲ ହସ୍ପିଟାଲରେ ଏହି ବ୍ୟବସ୍ଥା ରହିବ। ସିଧାସଳଖ ଏହି ଦୁଇ ସ୍ଥାନରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଟିକା ସମ୍ପର୍କରେ ଫିଡ଼ ବ୍ୟାକ ନେଇ ପାରିବେ। ଟିକାକରଣକୁ ସୁପରିଚାଳନା କରିବା ପାଇଁ ରାଜ୍ୟ ସ୍ତରରେ ଷ୍ଟେଟ ମନିଟରିଂ ଟିମ୍ ଗଠନ ହୋଇଛି। ସେମାନେ ଜିଲ୍ଲା ସ୍ତରରେ ଯାଇ ମନିଟରିଂ କରିବେ। କୋଭିଡ ଟିକାକରଣ ପାଇଁ ଚଳିତ ମାସ ୧୭, ୧୮ ଓ ୧୯ ତାରିଖରେ ହେବାକୁ ଥିବା ପଲସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି ।