ଦେଶର ଷ୍ଟାର୍ଟଅପଗୁଡ଼ିକୁ ପ୍ରାରମ୍ଭିକ ପାଣ୍ଠି ଉପଲବ୍ଧ କରିବାକୁ ୧ ହଜାର କୋଟିର ଏକ ସିଡ୍ ଫଣ୍ଡ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶର ଷ୍ଟାର୍ଟଅପଗୁଡ଼ିକୁ ପ୍ରାରମ୍ଭିକ ପାଣ୍ଠି ଉପଲବ୍ଧ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧ ହଜାର କୋଟିର ଏକ ସିଡ୍ ଫଣ୍ଡ ଘୋଷଣା କରିଛନ୍ତି । ଏହା ସହିତ ଷ୍ଟାର୍ଟଅପ ମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଟେଲିଭିଜନ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମର ନାଁ ଷ୍ଟାର୍ଟଅପ ଚାମ୍ପିୟନ ଓ ଏହା ଜାତୀୟ ଟେଲିଭିଜନ ଚ୍ୟାନେଲ ଦୂରଦର୍ଶନରେ ପ୍ରସାରଣ ହେବ । ପ୍ରତି ଏପିସୋଡର ଅବଧି ୧ ଘଣ୍ଟା ରହିବ ଓ ଏହି କାର୍ଯ୍ୟକ୍ରମ ୧୨ ସପ୍ତାହ ପାଇଁ ପ୍ରସାରିତ ହେବ । ଏଥିରେ ଭାରତର ସଫଳ ଉଦ୍ଭାବକ ଓ ଉଦ୍ୟୋଗୀଙ୍କ କଥା କୁହାଯିବ ।

ଷ୍ଟାର୍ଟଅପ ଇଣ୍ଡିଆର ଅନ୍ତର୍ଜାତୀୟ ସମ୍ମିଳନୀ ‘ପ୍ରାରମ୍ଭ’ ରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଷ୍ଟାର୍ଟଅପଗୁ଼ଡ଼ିକ ଯେପରି ପୁଞ୍ଜିଅଭାବର ସମ୍ମୁଖୀନ ନହୁଅନ୍ତି ତାହା ଉପରେ ଭାରତ ସରକାର ବିଶେଷ ଦୃଷ୍ଟି ଦେଉଛନ୍ତି । ସେଥିପାଇଁ ଭାରତ ସରକାର ୧ ହଜାର କୋଟିର ଏକ ସିଡ୍ ଫଣ୍ଡ ଗଠନ କରିଛନ୍ତି । ଏହି ପାଣ୍ଠିମାଧ୍ୟମରେ ଷ୍ଟାର୍ଟଅପମାନେ ସିଡ୍ ଫଣ୍ଡ (ପ୍ରାରମ୍ଭିକ ପୁଞ୍ଜି) ପାଉଛନ୍ତି । ଆଗାମୀ ଦିନରେ ଷ୍ଟାର୍ଟଅପଗୁଡ଼ିକ ଯେପରି ଋଣ ଉଠାଇପାରିବେ ସେ ଦିଗରେ ସରକାର ଉଦ୍ୟମ କରୁଛନ୍ତି ।