୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କଲେ ମୋଦୀ

ମିଳିଲା ଲକ୍ ଡାଉନ୍ ୪.୦ ସଂକେତ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବଢିଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ଅର୍ଥନୀତିର ପୁନରୁତଥାନ ପାଇଁ ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଆସନ୍ତା କିଛି ଦିନ ଧରି ଏହି ପ୍ୟାକେଜର ଘୋଷଣା କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବା ସହ କରୋନା ବିରୋଧରେ ଯୁଦ୍ଧକୁ ଜିତିବା ଲାଗି ଲକ୍ ଡାଉନ୍ ୪.୦ ଜାରି ହେବା ନେଇ ସଂକେତ ଦେଇଛନ୍ତି।

ଏହା ୨୦୨୦ ବର୍ଷରେ ଭାରତକୁ ଆତ୍ମନିର୍ଭରଶୀଳ ହେବାର ବାଟ ଦେଖାଇବ । ଏଥିରେ ଲାଣ୍ଡ, ଲେବର,ଲିକ୍ୱିଡିଟି ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ପ୍ୟାକେଜରେ ଦେଶର କ୍ଷୁଦ୍ର,ମଧ୍ୟମ ଶିଳ୍ପ ସଂସ୍ଥାମାନଙ୍କ ପାଇଁ, ଶ୍ରମିକ, କୃଷକମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଏଥିରେ ଦେଶର ମଧ୍ୟବିତ୍ତ ବର୍ଗ, ଭାରତର ଶିଳ୍ପ ଜଗତ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ।

ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧନ କରି କହିଛନ୍ତି ଯେ ଗୋଟିଏ ଭୁତାଣୁ ସମଗ୍ର ବିଶ୍ୱକୁ ବିଧ୍ୱସ୍ତ କରିଦେଇଛି । ସମଗ୍ର ମାନବଜାତି ଏହି ସଂକଟ ବିରୁଦ୍ଧରେ ଲଢେଇ କରୁଛି । ଭାରତ ମଧ୍ୟ ଏହି ଲଢେଇରେ ସାମିଲ ହୋଇଛି । ଏହି ସଂକଟ ଭାରତକୁ ଆତ୍ମନିର୍ଭରଶୀଳ ହେବାର ବାଟ ଦେଖାଇଛି ।

ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଲକଡାଉନ୍-୪ ଜାରି ହେବା ନେଇ ସ୍ପଷ୍ଟ କରିଛନ୍ତି। ଏଥିସହ ସେ କହିଛନ୍ତି ଯେ ଆଗାମୀ ଲକଡାଉନ୍ ଅନ୍ୟ ୩ଟି ପର୍ଯ୍ୟାୟର ଲକଡାଉନ୍ ଠାରୁ ଭିନ୍ନ ହେବ। ଏହା ସଂପୂର୍ଣ୍ଣ ନୂତନ ରୂପରେଖ ନେଇ ଆସିବ।  ଲକଡାଉନ୍-୪ର ରୂପରେଖ କିଭଳି ହେବ ତାହା ମେ ୧୮ ତାରିଖ ପୂର୍ବରୁ ଏହାର ରୂପରେଖ ଜଣାଇ ଦିଆଯିବ।