କେରଳ ଭୂସ୍ଖଳନରେ ପ୍ରଧାନମନ୍ତ୍ରୀଙ୍କ ଶୋକ, ମୃତକଙ୍କ ପରିବାରକୁ ୨ ଲକ୍ଷ ଘୋଷଣା

ଥିରୁଅନନ୍ତପୁରମ: କେରଳର ଇଡୁକି ଭୂସ୍ଖଳନ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମ୍ବେଦନ ପ୍ରକଟ କରିଛନ୍ତି । ଏହାସହ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ସେହିପରି ପ୍ରତ୍ୟେକ ଆହତଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ପିଏମ କେୟାର ପାଣ୍ଠିରୁ ଏହି ଅର୍ଥ ମୃତାହତଙ୍କ ପରିବାରୁ ଦିଆଯିବ ବୋଲି ଘୋଷଣାରେ କୁହାଯାଇଛି ।

ପ୍ରଧାନମନ୍ତ୍ରୀ ଟୁଇଟ କରି ଲେଖିଛନ୍ତି ଇଡୁକି ରାଜାମଲାଇରେ ଭୂସ୍ଖଳନ ହେତୁ ପ୍ରାଣହାନୀ ନେଇ ମୁଁ ଦୁଃଖିତ। ମୋର ସମ୍ବେଦନା ଶୋକସନ୍ତପ୍ତ ପରିବାର ସହିତ ଅଛି । ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ। ଏନଡିଆରଏଫ ଏବଂ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ଲାଗିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ଇଡୁକି ଭୂସ୍ଖଳନ ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇସାରିଥିବା ଜଣାପଡିଛି । ସ୍ଥିତି ସମୀକ୍ଷା ପାଇଁ କେରଳ ସରକାରଙ୍କ ମନ୍ତ୍ରୀ ଏମ.ଏମ ମଣି ଘଟଣା ସ୍ଥଳକୁ ଗସ୍ତ କରିଛନ୍ତି ।

ଅନ୍ୟପକ୍ଷେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଘଟଣାକୁ ନେଇ ଶୋକ ପ୍ରକାଶ କରିବା ସହ ଏନଡିଆରଏଫ ଡିଜିଙ୍କ ସହ ଫୋନରେ ଆଲୋଚନା କରିଛନ୍ତି । କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଗୃହମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ।