ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଯୁକ୍ତ ୨ ରେଜଲ୍ଟ

ଦଶମ ପରୀକ୍ଷା ମାର୍କ ଆଧାରରେ ମୂଲ୍ୟାୟନ

ଭୁବନେଶ୍ୱର : ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ଦ୍ୱାଦଶ ପରୀକ୍ଷା ଫଳ । ଫଳାଫଳ ଏବଂ ମୂଲ୍ୟାୟନ ପଦ୍ଧତି ନେଇ ସିଏଚଏସଇ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି । ଦଶମ ପରୀକ୍ଷା ମାର୍କ ଆଧାରରେ ମୂଲ୍ୟାୟନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ରେଗୁଲାର ଓ ଏକ୍ସରେଗୁଲାର ପିଲାଙ୍କୁ ମାଟ୍ରିକ ଭିତ୍ତିରେ ନମ୍ବର ଦିଆଯିବ । ଯେଉଁ ଛାତ୍ର-ଛାତ୍ରୀ ମାର୍କରେ ସନ୍ତୁଷ୍ଟ ନହେବେ, ପରେ ସେମାନେ ପରୀକ୍ଷା ଦେଇ ପାରିବେ । କୋଭିଡ୍ ପରିସ୍ଥିତି ସ୍ୱାଭାବିକ ହେବା ପରେ ଅଫଲାଇନ୍‌ରେ ପରୀକ୍ଷା ଦେଇ ପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
ଏହା ପୂର୍ବରୁ ଯୁକ୍ତ ୨ ମୂଲ୍ୟାୟନ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା । ଉଭୟ ରେଗୁରାଲ ଓ ଏକ୍ସରେଗୁରାଲ ପରୀକ୍ଷାର୍ଥୀଙ୍କ ପାଇଁ ସିଏଚଏସଇ ପକ୍ଷରୁ ୧୪ ଜଣିଆ କମିଟି ଗଠନ ହୋଇଥିଲା । ଏହି କମିଟିରେ ବିଶିଷ୍ଟ ଶିକ୍ଷାବିତ୍‌ଙ୍କୁ ସାମିଲ କରାଯାଇଥିଲା । କମିଟି ୧୦ ଦିନ ଭିତରେ ମୂଲ୍ୟାୟନ ଖସଡା ରିପୋର୍ଟ ପ୍ରଦାନ କରିବେ ବୋଲି କହିଥିଲେ । ଏହି କମିଟି ଦଶମ ପରୀକ୍ଷା ମାର୍କ ଆଧାରରେ ଯୁକ୍ତ ୧୨ ଦ୍ୱାଦଶ ପରୀକ୍ଷାର ମୂଲ୍ୟାୟନ କରାଯାଉ ବୋଲି ଉଚ୍ଚ ଶିକ୍ଷା ବିଭାଗକୁ ରିପୋର୍ଟ ଦେଇଥିଲେ । ରିପୋର୍ଟ ଉପରେ ଏବେ ମୋହର ମାରିଛି ଉଚ୍ଚ ଶିକ୍ଷା ବିଭାଗ । ଏହି କମିଟିରେ ପୂର୍ବତନ ବୋର୍ଡ ସଭାପତି ଡ. ସୁଶାନ୍ତ କୁମାର ଦାଶ, ରମାଦେବୀ ମହିଳା ହାଇୟର ସେକେଣ୍ଡାରୀ ସ୍କୁଲର ପ୍ରିନସିପାଲ ଡକ୍ଚର ମମତା ପତ୍ରୀ, ସିଏଚଏସଇ ଉପାଧ୍ୟକ୍ଷ ଡର ତୁଷାରକାନ୍ତି ତ୍ରିପାଠୀ ପ୍ରମୁଖ ସଦସ୍ୟ ଭାବେ ରହିଛନ୍ତି । ଉଚିତ୍ ସମୟରେ ଫଳାଫଳ ପ୍ରକାଶ ନେଇ ଉଦ୍ୟମ କରାଯିବ ଏବଂ ଏ ସଂପର୍କରେ ସମସ୍ତ ସୂଚନା ଛାତ୍ର-ଛାତ୍ରୀଙ୍କୁ ଜଣାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା ।