ଭୁବନେଶ୍ୱର: ଆଜିଠାରୁ ଯୁକ୍ତ ୨ ପରୀକ୍ଷା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରହିବ । ବାକି ଥିବା ୬ ଦିନର ପରୀକ୍ଷା କେବେ ହେବ, ସେନେଇ ପରବର୍ତୀ ସମୟରେ ପରୀକ୍ଷାର୍ଥୀଙ୍କୁ ଅବଗତ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପରୀକ୍ଷା ପରିଚାଳନା ହବ୍ଗୁଡ଼ିକରେ ଥିବା ପ୍ରଶ୍ନପତ୍ର ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ୨୦୨ ହବ୍-ସୁପରଭାଇଜର୍ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ପରିଷଦ ପକ୍ଷରୁ କୁହାଯାଇଛି, କୌଣସି ବି ପରିସ୍ଥିତିରେ ହବ୍ ଖୋଲାଯିବ ନାହିଁ। ଶନିବାର ସରିଥିବା ପରୀକ୍ଷାର ଉତର ଖାତା ଯଦି ମୂଲ୍ୟାୟନ କେନ୍ଦ୍ରକୁ ଯାଇ ନଥିବ, ତେବେ ସୋମବାର ସକାଳୁ ହବ୍ର ସୁପରଭାଇଜର୍ ଏ ଦିଗରେ ପଦକ୍ଷେପ ନେବେ। ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ଉପସ୍ଥିତିରେ ଉଭୟ ସୁପରଭାଇଜର୍, ଡେପୁଟି ସୁପରଭାଇଜର୍ ରହି ହବ୍ର ତାଲା ଖୋଲିବେ ଓ ଉତର ଖାତା ପଠାଇବା ପରେ ପୁଣି ତାଲା ପକାଇବେ। ହବ୍ରେ ୨୪ ଘଂଟିଆ ସୁରକ୍ଷା ବ୍ୟବସ୍ଥା ରହିବ। ସୁରକ୍ଷା କର୍ମୀମାନେ ପାଳି କରି ଜଗିବେ। ରାତିରେ ପିସିଆର୍ ଗାଡ଼ି ବିଭିନ୍ନ ସମୟରେ ହବ୍ ଚାରିପଟେ ବୁଲିବ। ପୋଲିସ ର କଡ଼ା ନଜର ରହିବ। ପରିଷଦର ଜୋନାଲ ଅଧିକାରୀମାନେ ବି ନିୟମିତ ବ୍ୟବଧାନରେ ହବ୍କୁ ଗସ୍ତ କରି ଅନୁଧ୍ୟାନ କରିବେ।
ସୂଚନା ଅନୁଯାୟୀ, ୨୩ରୁ ୨୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପରୀକ୍ଷା ବାତିଲ ହୋଇଛି। ଯେଉଁଥିରେ ବିଜ୍ଞାନ ବିଭାଗର ଜୀବବିଜ୍ଞାନ ଓ କଳା ବିଭାଗର ଅର୍ଥନୀତି ବିଷୟର ପରୀକ୍ଷା ରହିଛି। ଏହାବ୍ୟତୀତ ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ବି କିଛି ବିଷୟର ପରୀକ୍ଷା ବି ସ୍ଥଗିତ ରହିଛି।