ଆଜିଠାରୁ +୨ ପ୍ରଥମ ପର୍ଯ୍ୟାୟ ନାମ ଲେଖା ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଯୁକ୍ତ ଦୁଇ ନାମ ଲେଖା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ ମାର୍କର ଆଡ଼୍‌ମିଶନ୍‌ ହେବ । ଏହା ଆସନ୍ତା ୬ ତାରିଖ ଯାଏ ଚାଲିବ । ପ୍ରଥମ ବର୍ଷ ଲାଗି ୩ଲକ୍ଷ ୭୫ ହଜାର ୯୫୮ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩ଲକ୍ଷ  ୩୩ହଜାର ୫୭୩ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି ।

ଗତକାଲି ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ ପାଇଥିଲା। ଜୁଲାଇ ୧୨ ରେ ଦ୍ୱିତୀୟ କଟ୍ ଅଫ୍ ପ୍ରକାଶ ପାଇବ। ସିଟ୍ ବଳକା ପଡ଼ିଲେ ସ୍ପଟ୍ ଆଡମିଶନ୍ କରାଯିବ। ଜୁଲାଇ ୨୯ରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠ ପଢା ଆରମ୍ଭ ହେବ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ପ୍ରଥମ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଥିଲା । କଳାରେ ବିଜେବି ଜୁନିଅରର କଟ୍‌ ଅଫ୍‌ ମାର୍କ ୭୧.୧୭ପ୍ରତିଶତ ରହିଛି । ଦ୍ୱିତୀୟରେ ରେଭେନ୍ସା ଜୁନିଅର୍‌ କଲେଜର ୭୦.୧୭ ପ୍ରତିଶତ ଓ ଘସିପୁରା ପତିତପାବନ କଲେଜର ୬୮.୫ ପ୍ରତିଶତ କଟ୍‌ ଅଫ୍‌  ମାର୍କ ରହିଛି । ସେହିପରି ବିଜ୍ଞାନରେ ରେଭେନ୍ସା ଜୁନିୟର କଲେଜର ୯୦ ପ୍ରତିଶତ କଟ୍‌ ଅଫ୍‌ ମାର୍କ ରହିଥିବାବେଳେ ଦ୍ୱିତୀୟରେ ବିଜେବି ଜୁନିୟର୍‌ କଲେଜ ରହିଛି । ବିଜେବିର ବିଜ୍ଞାନରେ ୮୮.୬୭ ପ୍ରତିଶତ କଟ୍‌ ଅଫ୍‌ ରହିଛି । ସେହିପରି ବ୍ରହ୍ମପୁର ସରସ୍ୱତୀ ବିଦ୍ୟାମନ୍ଦିର ୮୭.୬୭ ପ୍ରତିଶତ ସହିତ ତୃତୀୟରେ ରହିଛି ।

ଅନ୍ୟପକ୍ଷରେ ବାଣିଜ୍ୟରେ ଗଞ୍ଜାମର ଗୋପାଳପୁର ହାଇଅର ସେକେଣ୍ଡାରୀ ସ୍କୁଲ ୮୦.୬ ପ୍ରତିଶତ ସହିତ ପ୍ରଥମ ସ୍ଥାନରେ ରହିଛି । ସେହିପରି ଦ୍ୱିତୀୟ ସର୍ବାଧିକ ରହିଛି ଢେଙ୍କାନାଳ ଇଭିନଂ କଲେଜ ୭୬.୧୭ ପ୍ରତିଶତ ଓ ତୃତୀୟରେ ରେଭେନ୍ସା ଜୁନିଅର କଲେଜର ୭୬ ପ୍ରତିଶତ କଟ୍‌ ଅଫ୍‌ ମାର୍କ ରହିଛି ।