ଯୁକ୍ତ ୩ରେ ପ୍ରତି ସେମିଷ୍ଟର ପାଇଁ ହେବନି ଫର୍ମ ପୂରଣ, ପରୀକ୍ଷାର୍ଥୀଙ୍କୁ ଥରେ ଦିଆଯିବ ଆଡମିଟ୍‌ କାର୍ଡ

ଭୁବ‌ନେଶ୍ବର : ଏଣିକି ଯୁକ୍ତ ୩ ଛାତ୍ରଛାତ୍ରୀଙ୍କୁ ଆଉ ପ୍ରତି ସେମିଷ୍ଟର ପରୀକ୍ଷା ଲାଗି ଫର୍ମ ପୂରଣ କରିବାକୁ ପଡ଼ିବନି। ନାମଲେଖା/ପୁନଃନାମଲେଖା ସମୟରେ କଲେଜ କର୍ତୃପକ୍ଷ ଛାତ୍ରଛାତ୍ରୀଙ୍କଠାରୁ ପରୀକ୍ଷା ଫି’ ଆଦାୟ କରିବେ। ତେବେ ବ୍ୟାକ୍‌ ପେପର ଛାତ୍ରଛାତ୍ରୀଙ୍କ ଲାଗି ପରୀକ୍ଷା ପୂର୍ବରୁ ଫର୍ମ ପୂରଣ ଓ ଫି’ ଆଦାୟ କରାଯିବ। ଏଥିସହ ୨୦୧୯-୨୦ ଶିକ୍ଷାବର୍ଷଠାରୁ ଛାତ୍ରଛାତ୍ରୀଙ୍କୁ ଆଉ ପ୍ରତି ସେମିଷ୍ଟରରେ ଆଡମିଟ୍‌ କାର୍ଡ ଦିଆଯିବ ନାହିଁ। ବିଶ୍ବବିଦ୍ୟାଳୟ ପକ୍ଷରୁ ଥରେ ମାତ୍ର ଆଡମିଟ୍‌ କାର୍ଡ ବାହାରିବ। ଉକ୍ତ ଆଡମିଟ୍‌ କାର୍ଡ ମାଧ୍ୟମରେ ଛାତ୍ରଛାତ୍ରୀ ସମସ୍ତ ସେମିଷ୍ଟର ପରୀକ୍ଷା ଦେଇପାରିବେ। ଆଉ ଆଡମିଟ୍‌ କାର୍ଡର ଆବଶ୍ୟକତା ପଡ଼ିବ ନାହିଁ। ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା କାର୍ଡ ବଦଳରେ କଲେଜ ପରିଚୟପତ୍ରକୁ ବ୍ୟବହାର କରି ପରୀକ୍ଷା ଦେଇପାରିବେ।

ତେବେ ସବୁଠାରୁ ବଡ଼ ନିଷ୍ପତ୍ତି ହେଲା, ଚଳିତବର୍ଷଠାରୁ ସମସ୍ତ ଯୁକ୍ତ୩ ପରୀକ୍ଷା କେନ୍ଦ୍ର(ଉଭୟ ଥିଓରି ଓ ପ୍ରାକ୍ଟିକାଲ)ରେ ସିସିଟିଭି ଲାଗିବ। ୨୦୧୯ରେ ମାଟ୍ରିକ୍‌ ଓ ଯୁକ୍ତ୨ ପରୀକ୍ଷାରେ ସିସିଟିଭି ଲାଗିଥିଲା। ଆଉ ୨୦୨୦ରୁ ଯୁକ୍ତ୩ କଲେଜରେ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। ଯଦି କୌଣସି କଲେଜ ଏ ଦିଗରେ ପଦକ୍ଷେପ ନ ନିଅନ୍ତି ସେଠାରେ ପରୀକ୍ଷା କେନ୍ଦ୍ର କରାଯିବ ନାହିଁ। ମ‌ଡେଲ୍‌ ରେଗୁଲେସନ ଅଫ୍‌ ୟୁଜି ପ୍ରୋଗ୍ରାମ-୨୦୧୯ ଅନୁଯାୟୀ ଯଦି କୌଣସି ଛାତ୍ରଛାତ୍ରୀ ଗୋଟିଏ ବର୍ଷର ଦୁଇଟି ଯାକ ମିଡ୍‌ ସେମିଷ୍ଟର ପରୀକ୍ଷାରେ ଅନୁପସ୍ଥିତ ରହନ୍ତି ତେବେ ସମ୍ପୃକ୍ତ ଛାତ୍ରଛାତ୍ରୀ ଚୂଡ଼ାନ୍ତ ସେମିଷ୍ଟର ପରୀକ୍ଷାରେ ପାସ୍‌ କଲେ ମଧ୍ୟ ଫେଲ୍‌ ବୋଲି ଧରାଯିବ। ପରୀକ୍ଷାର ୪ ମାସ ପୂର୍ବରୁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଟାଇମ୍‌ଟେବୁଲ୍‌ ସ୍ଥିର କରି ସମସ୍ତ କଲେଜ କର୍ତୃପକ୍ଷଙ୍କୁ ଅବଗତ କରାଇବେ। ପରୀକ୍ଷା ସରିବାର ୪୫ ଦିନ ମଧ୍ୟରେ ଫଳ ପ୍ରକାଶ କରାଯିବ। ଏଥର ପ୍ରଶ୍ନପତ୍ରରେ ବ୍ୟାପକ ପରିବର୍ତନ ଆସିବ। ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନକୁ ସାମିଲ କରାଯିବ। ୧୨ରୁ ୧୪ଟି କଲେଜକୁ ନେଇ ‌ଗୋଟିଏ ମୂଲ୍ୟାୟନ କେନ୍ଦ୍ର ହେବ। ଯଦି କୌଣସି କଲେଜ କର୍ତୃପକ୍ଷ ମୂଲ୍ୟାୟନ କେନ୍ଦ୍ର କରିବାକୁ ଅରାଜି ହୁଅନ୍ତି ‌ତେବେ ଏ ସମ୍ପର୍କରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଆଞ୍ଚଳିକ ଶିକ୍ଷା ନିର୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କୁହାଯାଇଛି। ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଅକ୍ଟୋବର ୨୧ ସୁଦ୍ଧା ଚୂଡ଼ାନ୍ତ ପରୀକ୍ଷା କେନ୍ଦ୍ର ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ସଚିବ ଏବଂ ଓଏଚ୍‌ଇପିଇଇର ଏସ୍‌ପିଡିଙ୍କୁ ଅବଗତ କରାଇବେ।