ଜାରିହେଲା ଚିଠା ପ୍ରସ୍ତାବ,ଗାନ୍ଧୀ ଜୟନ୍ତିରୁ ପ୍ଲାଷ୍ଟିକ ବ୍ୟାନ

ଭୁବନେଶ୍ୱର :  ଗାନ୍ଧୀ ଜୟନ୍ତରୁ ପ୍ଲାଷ୍ଟିକ୍ ବ୍ୟବହାରକୁ ବନ୍ଦ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ମହାନଗର ନିଗମ ଅଞ୍ଚଳ ଓ ପୁରୀରେ ଏହାକୁ ନିଷିଦ୍ଧ କରାଯିବ । ଏଥିଲାଗି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି । ଚିଠା ପ୍ରସ୍ତାବ ଅନୁଯାୟୀ ସର୍ବସାଧାରଣ ସ୍ଥାନରେ ପ୍ଲାଷ୍ଟିକ୍ ଫିଙ୍ଗିବା ନିଷିଦ୍ଧ ହୋଇଛି । ବିଶେଷକରି ଏହାର ବିକ୍ରି, ବ୍ୟବସାୟ, ଉତ୍ପାଦନ, ଆମଦାନୀ, ଗଚ୍ଛିତ ରଖିବା, ପରିବହନ ଆଦିରେ ଏହାକୁ ବ୍ୟବହାର କରାଯାଇପାରିବନାହିଁ ।
ପ୍ଲାଷ୍ଟିକ୍ ସ୍ୱାସ୍ଥ୍ୟ ପ୍ରତି ସମସ୍ୟା ସୃଷ୍ଟି କରୁଛି ।

ପ୍ଲାଷ୍ଟିକ୍ ବ୍ୟାଗ୍ ସମେତ ଅନ୍ୟାନ୍ୟ ସାମଗ୍ରୀକୁ ବ୍ୟବହାର ପରେ ବାହାରେ ଫିଙ୍ଗାଯାଉଥିବାବେଳେ ଏହା ମାଟିରେ ମିଶୁନାହିଁ । ଫଳରେ ଭୂତାଣୁଜନିତ ରୋଗ ମ୍ୟାଲେରିଆ ଆଦି ବ୍ୟାପୁଛି । ଏହାଛଡା ଏଥିରେ ଡାୟୋଅକ୍ସିନ୍ ଓ ହାଇଡ୍ରୋଜେନ୍ ସିଆନାଇଡ୍ ଭଳି ସାମଗ୍ରୀ ଥିବାରୁ ଏହା ବାୟୁ ପ୍ରଦୂଷଣ ସୃଷ୍ଟି କରିବା ସହ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରୁଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟ ଏହାର ବ୍ୟବହାର ଉପରେ କଟକଣା କରିବା ଲାଗି ପ୍ରସ୍ତାବ ଦେଇଥିଲା । ତଦନୁଯାୟୀ ଆଜି ପ୍ରକାଶିତ ଚିଠାରେ ଉଲ୍ଲେଖ କରାଯାଇଛି ଯେ କୌଣସି ପ୍ରକାରର ପଲିଥିନ ବ୍ୟାଗ୍ ବ୍ୟବହାର ହୋଇପାରିବନାହିଁ । ବିଶେଷକରି ୫୦୦ ମି.ମି.ରୁ କମ୍ ଥିବା ପାଣି ବୋତଲ ବ୍ୟବହାର ହେବନାହିଁ । ଥର୍ମକୁଲ୍ ବ୍ୟବହାର ଉପରେ ମଧ୍ୟ କଟକଣା ଜାରି କରାଯିବ । ସେହିଭଳି ପ୍ଲାଷ୍ଟିକ୍ ପ୍ଲେଟ୍, ଚାମଚ, କପ୍, ବାଉଲ୍, ଷ୍ଟ୍ର, ପାଉଚ୍ ଏବଂ ବିଭିନ୍ନ ତରଳଯାତ ସାମଗ୍ରୀ ରହୁଥିବା ପଦାର୍ଥର ବ୍ୟବହାରକୁ ନିଷିଦ୍ଧ କରାଯାଇଛି । ବ୍ୟବସାୟୀମାନେ ୫୦ ମାଇକ୍ରନ୍ରୁ କମ୍ ଥିବା ପଲିଥିନି ସିଟ୍ ବ୍ୟବହାର କରିପାରିବେନାହିଁ । ବିଶେଷକରି ପରିବହନ ମହଜୁଦ ରଖିବା ଆଦି କ୍ଷେତ୍ରରେ ଏହା ବ୍ୟବହାର ହେବ ।

ସେହିଭଳି ପିଇବା ପାଣି, ମିନେରାଲ୍ ୱାଟର, ପ୍ୟାକେଟ୍ କ୍ଷୀର ଓ ଖାଇବା ତେଲରେ ଏହି ମାନର ପ୍ଲାଷ୍ଟିକ୍ ବ୍ୟବହାର କରାଯିବ । ତେବେ ଔଷଧ ଓ ଅନ୍ୟାନ୍ୟ ସର୍ଜିକାଲ୍ ସାମଗ୍ରୀରେ ଏହାକୁ ବ୍ୟବହାର କରାଯାଇପାରିବ । ସେହିଭଳି ଧାର୍ମିକ ଅନୁଷ୍ଠାନ, ହୋଟେଲ୍, ରେଷ୍ଟୁରାଣ୍ଟ, ବିବାହ ଉତ୍ସବ ଆଦିରେ ମଧ୍ୟ ପ୍ଲାଷ୍ଟିକ୍ ବ୍ୟବହାରକୁ ନିଷିଦ୍ଧ କରାଯାଇଛି । ଦୁଗ୍ଧ ପ୍ରକ୍ରିୟାକରଣ ୟୁନିଟ୍ଗୁଡିକ ପିଇଟି/ପିଇଟିଇ ବୋତଲ ଏବଂ ପ୍ଲାଷ୍ଟିକ୍ ବର୍ଜ୍ୟକୁ ସେମାନେ ଫେରସ୍ତ ନେବେ । ଏଥିଲାଗି ଉଭୟ ଖୁଚୁରା ଓ ପାଇକାରୀ ବ୍ୟବସାୟୀ ଦାୟୀ ରହିବେ । ମହାନଗର ନିଗମଗୁଡିକର କମିଶନର ଓ ପୌରପରିଷଦଗୁଡିକର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏହାର ତଦାରଖ କରିବେ ଏବଂ ବିଶେଷକରି ମୁଦ୍ରିତ ଓ ବୈଦୁ୍ୟତିକ ଚ୍ୟାନେଲ୍ଗୁଡିକରେ ଏ ସମ୍ପର୍କରେ ବ୍ୟାପକ ସଚେତନତା କରିବେ । ଏହି ଅଧିକାରୀମାନେ ଏହାର ବ୍ୟବହାର ନିଷିଦ୍ଧକୁ କଡାକଡି କରିବା ଲାଗି ପଦକ୍ଷେପ ନେବେ । ଏହାଛଡା ସେମାନେ ବର୍ଜ୍ୟ ପ୍ଲାଷ୍ଟିକ୍କୁ ସଂଗ୍ରହ କରିବେ ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ, ଜିଲ୍ଲାପାଳ, ଏସ୍ପି, ଅତିରିକ୍ତ ଜିଲ୍ଲାପାଳ, ସବ୍ଡିଭିଜିନାଲ୍ ମାଜିଷ୍ଟ୍ରେଟ୍, ଉପଖଣ୍ଡ ଜଙ୍ଗଲ ଅଧିକାରୀ, ତହସିଲଦାର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଫିସର ଓ ଜିଲ୍ଲାପାଳଙ୍କ ଦ୍ୱାରା ମନୋନୀତ ସଭ୍ୟ, ମୁ୍ୟନିସିପାଲ୍ କମିଶନର ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନେଇ ଏନ୍ପୋର୍ସମେଣ୍ଟ ଗଠନ କରାଯାଇ ଏହାର ଯାଞ୍ଚ କରାଯିବ । ଏହାଛଡା ସିନେମା ହଲ୍ ମାଲିକମାନେ ମଧ୍ୟ ହଲ୍ ମଧ୍ୟରେ ପ୍ଲାଷ୍ଟିକ୍ ବ୍ୟବହାରକୁ ନିଷିଦ୍ଧ କରିବେ । ଯଦି କୌଣସି ସଂସ୍ଥା ପ୍ଲାଷ୍ଟିକ୍ ଉତ୍ପାଦନ କରୁଛନ୍ତି, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହାକୁ ବନ୍ଦ କରିବେ । ସେହିଭଳି ଏନ୍ଜିଓ ଦ୍ୱାରା ଏ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ । ଏ ସମ୍ପର୍କରେ ମାସକ ମଧ୍ୟରେ ଲୋକମାନଙ୍କଠାରୁ ମତାମତ ସଂଗ୍ରହ କରିବା ପାଇଁ ଚିଠା ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି ।