ଆସନ୍ତାକାଲିଠାରୁ ଗଞ୍ଜାମରେ ପ୍ଲାଜମା ଥେରାପି

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଗଞ୍ଜାମରେ ଆରମ୍ଭ ହେବ ପ୍ଲାଜମା ଥେରାପି । ଶୀତଳାପ୍ଲଲି ସ୍ଥିତ ଟାଟା କୋଭିଡ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ ହେବ । ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଗଂଜାମ ଜିଲ୍ଲାର କୋଭିଡ ସ୍ଥିତି ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି ।

ଆସନ୍ତାକାଲି ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ ହସ୍‌ପିଟାଲରେ ପ୍ଲାଜ୍‌ମା ଥେରାପି ଆରମ୍ଭ କରାଯିବ। ଏହାଦ୍ବାରା ଗଞ୍ଜାମ ଓ ଆଖପାଖ ଜିଲ୍ଲାର ଗୁରୁତର କୋଭିଡ ରୋଗୀମାନେ ପ୍ଲାଜ୍‌ମା ଥେରାପି ସୁବିଧା ପାଇପାରିବେ ଏବଂ କୋଭିଡ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ ଯେ ଭୁବନେଶ୍ୱରର ସମ୍‌ କୋଭିଡ ହସ୍‌ପିଟାଲ ଓ କଟକର ଅଶ୍ୱିନୀ କୋଭିଡ ହସ୍‌ପିଟାଲରେ ଗତ ୧୮ ତାରିଖ ଠାରୁ ପ୍ଲାଜ୍‌ମା ଥେରାପି ଆରମ୍ଭ ହୋଇଛି ଏବଂ ଏହା ସୁଫଳ ମଧ୍ୟ ଦେଇଛି। ସମୁଦାୟ ୬ ଜଣ ରୋଗୀଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇଛନ୍ତି ଓ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସ୍ଥିର ଅଛି ।

ବ୍ରହ୍ମପୁରର ଅମିତ ହସ୍‌ପିଟାଲରେ ୧୬ଟି ଆଇ.ସି.ୟୁ ବେଡ୍‌ ସହିତ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ ପ୍ରତିଷ୍ଠା କରାଯିବ। ଏହାକୁ କଟକର ଅଶ୍ୱିନୀ ହସ୍‌ପିଟାଲ ପରିଚାଳନା କରିବ। ଏଥିପାଇଁ ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଅଶ୍ୱିନୀ ହସ୍‌ପିଟାଲ ମଧ୍ୟରେ MoU ସ୍ବାକ୍ଷରିତ ହୋଇଛି।