ଦୁଇ ଜଣ ପୋଲିସ କର୍ମୀ ଦେଲେ ପ୍ଲାଜମା

କଟକ: ରାଜ୍ୟରେ ଗୁରୁତର କୋଭିଡ୍ ରୋଗୀଙ୍କ ଚିକିତ୍ସାରେ ସଫଳ ହେଉଛି ପ୍ଲାଜମା ଥେରାପି । ଆଜି ଆଉ ଦୁଇ ଜଣ ପୋଲିସ କର୍ମୀ ସେମାନଙ୍କ ପ୍ଲାଜମା ଦେଇଛନ୍ତି । କଟକ ଏସସିବି ବଡ ମେଡିକାଲରେ ପ୍ଲାଜମା ଦେଇଥିବା ଦୁଇ ଜଣ ପୋଲିସ କର୍ମୀ ହେଲେ ରବିନ୍ଦ୍ରନାଥ ମହାରଣା ଏବଂ ସୁଦର୍ଶନ ସେଠୀ । ଉଭୟ ପୋଲିସ କର୍ମୀ ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନରେ କାର୍ଯ୍ୟରତ ଅଛନ୍ତି ।

କିଛି ଦିନ ତଳେ ରବିନ୍ଦ୍ରନାଥ ମହାରଣା ଓ ସୁଦର୍ଶନ ସେଠୀ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିଲେ । କୋଭିଡ୍ ହସପିଟାଲରେ ଚିକିତ୍ସା ପରେ ଉଭୟ ସୁସ୍ଥ ହୋଇଛନ୍ତି । ଆଜି ଉଭୟ କଟକ ଏସସିବି ଆସି ସେମାନଙ୍କ ପ୍ଲାଜମା ଦାନ କରିଛନ୍ତି । କିଛି ଦିନ ତଳେ ରାଜ୍ୟର ପ୍ରଥମ ପ୍ଲାଜମା ଚିକିତ୍ସା କରାଯାଇଥିବା ୪୮ ବର୍ଷିୟ ମହିଳା ସୁସ୍ଥ ହୋଇ ଘରକୁ ଫେରିଥିଲେ । ସେପଟେ ଗଂଜାମରେ ତିନି ଜଣ ଗୁରୁତର କୋଭିଡ୍ ରୋଗୀଙ୍କ ପ୍ଲାଜମା ଥେରାପି ପରେ ସୁସ୍ଥ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ କୋଭିଡ୍‌ରୁ ସୁସ୍ଥ ହୋଇଥିବା ଆକ୍ରାନ୍ତ ମାନେ ସେମାନଙ୍କ ପ୍ଲାଜମା ଦାନ ପାଇଁ ଆଗେଇ ଆସୁଛନ୍ତି ।