ହେଲିକପ୍ଟର ଦୁର୍ଘଟଣାରେ ୬ ବାୟୁସେନା ଅଧିକାରୀ ସହ ଜଣେ ନାଗରିକ ମୃତ

ଶ୍ରୀନଗର: ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନର ମୁକାବିଲା ଓ ସୀମାନ୍ତରେ ପ୍ୟାଟ୍ରୋଲିଂ କରୁଥିବା ବାୟୁସେନାର ଏକ ହେଲିକପ୍ଟର ଆଜି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୬ଜଣ ବାୟୁସେନା ଅଧିକାରୀ ଓ ଜଣେ ସ୍ଥାନୀୟ ଲୋକ ମୃତ୍ୟୁବରଣ କରିଥିବା ଜଣାପଡିଛି । ପୂର୍ବରୁ ଏହି ଦୁର୍ଘଟଣାରେ ୨ଜଣ ପାଇଲଟ୍ ମୃତ୍ୟୁବରଣ କରିଥିବା ସୂଚନା ମିଳିଥିଲା । ଆଜି ସକାଳେ ରୁଷ ନିର୍ମିତ ଏମ୍‌ଆଇ-୧୭ ହେଲିକପ୍ଟରଟି ସୀମାନ୍ତରେ ପ୍ୟାଟ୍ରୋଲିଂ କରୁଥିଲା। ତେବେ ସକାଳ ପ୍ରାୟ ୧୦.୫ରେ ଗାରେଣ୍ଡ କଲାନ ଗାଁରେ ଏହା ତଳକୁ ଖସି ପଡ଼ିଥିଲା। ଏହା ଦୁଇ ଖଣ୍ଡ ହେବା ସହ ଏଥିରେ ନିଆଁ ଲାଗିଯାଇଥିଲା। ଏହି କାରଣରୁ ଏଥିରେ ଥିବା ସମସ୍ତ ୬ ଜଣ ବାୟୁସେନା ଅଧିକାରୀଙ୍କ ମୃତ୍ୟୁ ଘଟିଛି। ସେହିପରି ହେଲିକପ୍ଟରର ଧ୍ୱଂସାବଶେଷ ମାଡ଼ରେ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ପୁଲିସ୍‌ କହିଛି। ଅନ୍ୟପକ୍ଷରେ ପାକିସ୍ତାନ ପକ୍ଷରୁ ଏହାକୁ ତାଙ୍କ ଦେଶର ସେନା ଗୁଳି କରି ଖସାଇଥିବା ଦାବି କରିଛି। କିନ୍ତୁ ଏଥିରେ କୌଣସି ସତ୍ୟତା ନଥିବା ପ୍ରମାଣିତ ହୋଇଛି।