ପିପିଲି ଗଣ ଦୁଷ୍କର୍ମ ହତ୍ୟା ମାମଲାରେ ରାୟକୁ ନେଇ ମନ୍ତବ୍ୟ ଦେଇ ଅଡୁଆରେ ମନ୍ତ୍ରୀ ମହାରଥୀ

ଭୁବନେଶ୍ୱର : ରାଜନୀତିକୁ ଫେରିଲା ପିପିଲି ଗଣ ଦୁଷ୍କର୍ମ ହତ୍ୟା ଘଟଣା । ମାମଲାରେ ଦୁଇ ଅଭିଯୁକ୍ତ କୋର୍ଟୁ ନିର୍ଦୋଶରୁ ଖଲାସ ହେବା ପରେ ପୁଣି ବିବାଦ ଆରମ୍ଭ ହୋଇଛି । କୋର୍ଟଙ୍କ ରାୟ ପରେ ପ୍ରସଙ୍ଗରେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମନ୍ତବ୍ୟକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ ।ମାମଲାର ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କୁ ବହିଷ୍କାର ଦାବି ନେଇ କଂଗ୍ରେସ ମନ୍ତ୍ରୀଙ୍କ ସରକାରୀ ବାସଭବ ଆଗରେ ବିକ୍ଷୋବ କରିଛି । ଆଜିଠୁ ୭ ଦିନ ବ୍ୟାପୀ ରାଜ୍ୟ ବ୍ୟାପି ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ବିଜେଡି କହିଛି ବିରୋଧୀ ଜାଣି ଶୁଣଇ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି ।

ମହିଳା କଂଗ୍ରେସର ସଦସ୍ୟାମାନେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବାସ ଭବନ ଘେରାଉ କରିଛନ୍ତି। ଅଣ୍ଡା, ଟମାଟୋ ଓ ଝାଡୁ ମାଡ଼ କରି ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି ମହିଳା କଂଗ୍ରେସ । ପିପିଲି ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ଖଲାସ ହେବା ପରେ ମନ୍ତ୍ରୀଙ୍କ ମନ୍ତବ୍ୟକୁ ବିରୋଧ କରି ରାସ୍ତା ଓହ୍ଲାଇଛନ୍ତି ବିରୋଧୀ । କଂଗ୍ରେସର ଘେରାଉ ସମୟରେ ପୋଲିସ ସହ ଧସ୍ତା ଧସ୍ତି ହୋଇଥିଲା । ୪୦ରୁ ଅଧିକ ମହିଳା କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକ ରଖି ପରେ ଛାଡି ଦେଇଛି ।

ମନ୍ତ୍ରୀ ମହାରଥୀଙ୍କ ମନ୍ତବ୍ୟ ପୀଡିତାଙ୍କ ପରିବାରକୁ ଆଘାତ ଦେଇଛି ଓ ସାନ୍ବନା ଦେବାକୁ ପହଁଚିଛି ବିଜେପି ମହିଳା ମୋର୍ଚ୍ଚା । ମନ୍ତ୍ରୀ ମହାରଥୀଙ୍କର ବୟାନ ଔଦ୍ଧତ୍ୟର ସୀମା ଟପିଛି ବୋଲି ବିଜେପି ମହିଳା ମୋର୍ଚ୍ଚା ଅଭିଯୋଗ କରିଛି। ୨୪ ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରିବାକୁ ଦାବି କରିଛି। ଏଥିସହିତ ସଂଧ୍ୟାରେ ସବୁ ସହରରେ କ୍ୟାଣ୍ଡେଲ ଶୋଭାଯାତ୍ରା କରିବା ସହ ୭ ଦିନ ଧରି ବିଜେପି ଆନ୍ଦୋଳନ କରିବ ବୋଲି କହିଛି । ସେପଟେ ବିଜେଡି କହିଛି ବିରୋଧୀ କେବଳ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି । କୋର୍ଟଙ୍କ ରାୟକୁ ନେଇ ଏମିତି କରିବା ଠିକ ନୁହେଁ ।
ପିପିଲି ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ନେଇ ମନ୍ତ୍ରୀ ମହାରଥୀ ସେତେବେଳେ ବିବାଦକୁ ଆସିଥିଲେ । ଏମିତିକି ତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡିଥିଲା । ଆଉ ଏବେ ମାମଲାରେ ରାୟ ଆସିବା ପରେ ଆସ୍ବସ୍ତି ହୋଇଥିଲେ ମନ୍ତ୍ରୀ । କିନ୍ତୁ ତାଙ୍କ ମୁହଁର କଥା ପୁଣି ଥରେ ତାଙ୍କୁ ଏମିତି ଅଡୁଆରେ ପକାଇଲାଣି ଯେ ମନ୍ତ୍ରୀ ପଦ ଟଳମଳ ହେଲାଣି ।