ମେ’ ୧୩ରେ ପିପିଲି ଉପନିର୍ବାଚନ ପାଇଁ ପଡ଼ିବ ଭୋଟ୍‌

ପିପିଲି ଉପନିର୍ବାଚନ ଲାଗି ସାନି ତାରିଖ ଘୋଷଣା

ଭୁବନେଶ୍ବର : କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ସ୍ଥଗିତ ରହିଥିବା ବହୁ ଚର୍ଚ୍ଚିତ ପିପିଲି ଉପ ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ସାନି ତାରିଖ ଘୋଷଣା କରିଛନ୍ତି। ମେ ୧୩ରେ ହେବ ପିପିଲି ଉପ ନିର୍ବାଚନ।
ଉପନିର୍ବାଚନ ପାଇଁ ୨୦୨୧ ଏପ୍ରିଲ ୧୯ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ୧୯ରୁ ୨୬ ତାରିଖ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ହେବ। ୨୭ ତାରିଖରେ ପ୍ରାର୍ଥୀପତ୍ର ଯାଂଚ କରାଯିବ ଏବଂ ୨୯ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଯାଇ ପାରିବ। ଉଲ୍ଲେଖଯୋଗ୍ୟ, କେବଳ କଂଗ୍ରେସ ପ୍ରାର୍ଥୀ ହିଁ ଏହି ଏହି ଅବସରରେ ନାମାଙ୍କନ ପତ୍ର ଦାଖଲ କରିବେ।

ସୂଚନାଯୋଗ୍ୟ, ପିପିଲି ଉପନିର୍ବାଚନ ପାଇଁ ଏପ୍ରିଲ ୧୭ ତାରିଖରେ ମତଦାନ ଥିଲା। ଏହି ଉପନିର୍ବାଚନ ପାଇଁ ପ୍ରାର୍ଥୀମାନେ ଜୋରଦାର ପ୍ରଚାର କରିଥିଲେ। କିନ୍ତୁ ମତଦାନର ୩ ଦିନ ପୂର୍ବରୁ ଗତ ୧୪ ତାରିଖରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ଉପନିର୍ବାଚନ ସ୍ଥଗିତ ରଖାଯାଇଥିଲା। ଏବେ ଏହି ଉପନିର୍ବାଚନ ପାଇଁ କେବଳ ନୂଆ କଂଗ୍ରେସର ପ୍ରାର୍ଥୀ ହିଁ ନାମାଙ୍କନ ଦାଖଲ କରିପାରିବେ।

ଏପ୍ରିଲ ୧୭ରେ ପିପିଲି ଉପ ନିର୍ବାଚନ ହେବାର ଥିଲା। ହେଲେ ଏହାର ତିନି ଦିନ ପୂର୍ବରୁ ଅର୍ଥାତ ଏପ୍ରିଲ ୧୪ ତାରିଖରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ କରୋନାରେ ଦେହାନ୍ତ ଘଟିଥିଲା। ଫଳରେ ନିର୍ବାଚନକୁ ସ୍ଥଗିତ ରଖିବାକୁ ପଡିଥିଲା। ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ ଆଧାରରେ ନିର୍ବାଚନ ଆୟୋଗ ପିପିଲି ଉପ ନିର୍ବାଚନ ନେଇ ସାନି ତାରିଖ ସ୍ଥିର କରିଛନ୍ତି। ସାନି ତାରିଖ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ନିର୍ବାଚନ ପ୍ରଚାର ସମୟରେ ଏପ୍ରିଲ ୭ ତାରିଖରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ ଅସୁସ୍ଥ ହୋଇଥିଲେ। ୧୦ ତାରିଖରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରେ ଅଜିତ୍‌ଙ୍କ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଅଜିତ୍‌ଙ୍କ ପରଲୋକ ଘଟିଥିଲା। ତାଙ୍କ ନିଧନ ଏବେ ପିପିଲି ଉପ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା।

ବିଜେଡିର ଗଡ ଭାବେ ପରିଚିତ ପିପିଲି ବିଧାନସଭା ଆସନ ବିଜେଡିର ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଖାଲି ପଡିଛି। କରୋନା ଆକ୍ରାନ୍ତରେ ମଧ୍ୟ ପ୍ରଦୀପ ମହାରଥୀଙ୍କ ପ୍ରାଣହାନୀ ଘଟିଥିଲା। ମହାରଥୀ ଏହି ଆସନରୁ ସାତ ଥର ନିର୍ବାଚନ ଜିତିଛନ୍ତି। ଏବେ ଏହି ଆସନରୁ ତାଙ୍କ ପୁତ୍ର ରୁଦ୍ରପ୍ରତାପ ମହାରଥୀଙ୍କୁ ବିଜେଡି ପକ୍ଷରୁ ପ୍ରାର୍ଥୀ କରାଯାଇଛି। ଏବେ କଂଗ୍ରେସ  ଅଜିତ୍‌ଙ୍କ ପରିବାରରୁ ପ୍ରାର୍ଥୀ କରପାରେ ବୋଲି କୁହାଯାଉଛି ।

pipili by election voting on 13th may