ପିପିଲି ଉପନିର୍ବାଚନ : ୧୨ରେ ନବୀନ ୧୩ରେ ଧର୍ମେନ୍ଦ୍ର କରିବେ ପ୍ରଚାର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ନିର୍ବାଚନୀ ପ୍ରଚାର କରିବେ

ଭୁବନେଶ୍ୱର  : ପିପିଲି ଉପନିର୍ବାଚନ ପ୍ରଚାର ଜମୁଥିବାବେଳେ ଶେଷ ପର୍ଯ୍ୟାୟରେ ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ ବିଜେଡି ସୁପ୍ରମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ବିଜେପିର ଚେହେରା ପାଲଟିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତା ୧୨ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରସାଦ ମହାରଥୀଙ୍କ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିବେ । ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ନିର୍ବାଚନୀ ପ୍ରଚାର କରିବେ ବୋଲି ସୂଚନା ସେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରଚାରକୁ କର୍ମୀ ଓ ପିପିଲି ଭୋଟରଙ୍କ ପାଖରେ ପହଁଚାଇବାକୁ ଜିଲ୍ଲା ପରିଷଦ ଜୋନ ଭିତ୍ତିରେ ଦଳୀୟ ସମାବେଶ ଆୟୋଜନ କରୁଛି ବିଜେଡି । ଏହି ସମାବେଶରେ ଏଲଇଡି ବ୍ୟବସ୍ଥା କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ସମ୍ବୋଧନକୁ ଏଲଇଡି ମାଧ୍ୟମରେ ସିଧା ପ୍ରସାରଣ କରାଯିବ । ୬ ଜିଲ୍ଲା ପରିଷଦ, ଗୋଟିଏ ଏନଏସିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପାଇଁ ଏହି ବ୍ୟବସ୍ଥା ହୋଇଛି । କୋଭିଡ କଟକଣା ଭିତରେ ଲୋକଙ୍କୁ ସମବେଶରେ ଯୋଗ ଦେବା ଲାଗି ଦଳ ପ୍ରସ୍ତୁତି ଚଳାଇଛି । ଏଥିପାଇଁ ଦଳର ବରିଷ୍ଠ ନେତାମାନଙ୍କୁ ଦାୟିତ୍ୱ ବଣ୍ଟା ସରିଛି । ସେମାନଙ୍କୁ ପଞ୍ଚାୟତ ଦାୟୀତ୍ୱରେ ଥିବା ନେତା ମାନେ ସହଯୋଗ କରିବେ ।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ପ୍ରଚାର ପରଦିନ ପିପିଲି ଗ୍ରାଉଣ୍ଡକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପିପିଲି ନିର୍ବଚନ ମଣ୍ଡଳୀରେ ବୁଲି ବୁଲି ରାଲି କରିବା ସହ ଦଳୀୟ ପ୍ରାର୍ଥୀ ଆଶ୍ରିତଙ୍କ ପାଇଁ ଭୋଟ ମାଗିବେ କେନ୍ଦ୍ରମନ୍ତ୍ରୀ । ରାଲି ସମୟରେ ସବୁ ଜିଲ୍ଲାପରିଷଦ ଜୋନକୁ କିପରି ପହଁଚି ହେବ ସେନେଇ ବିଜେପି ସ୍ୱତନ୍ତ୍ର ପ୍ଳାନ କରିଛି । ଏଥିସହିତ ରାଲି ସମୟରେ ଡେଲାଙ୍ଗରେ ଗୋଟିଏ ଓ ପିପିଲିରେ ଗୋଟିଏ ସାଧାରଣ ସଭା କରିବା ଯୋଜନା ବି ରହିଛି । ଧର୍ମେନ୍ଦ୍ରଙ୍କ ପ୍ରଚାର ଓ ରାଲି ଆୟୋଜନର ଦାୟିତ୍ୱ ନେତାମାନଙ୍କୁ ବଣ୍ଟାଯାଇଛି ।
ସେହିପିରି କଂଗ୍ରେସ ଲାଗି ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ପ୍ରଚାରେ ଆସିବୋ ବୋଲି ସୂଚନା ମିଳିଛି । ଚେଲ୍ଲା କୁମାରଙ୍କ ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ବିଧାୟକ ମାନେ ରାଲିରେ ଦଳୀୟ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଲାଗି ଭୋଟ ପ୍ରଚାର କରିବେ ।