ହରିଦ୍ୱାର-ଋଷିକେଶକୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରୁ ଭିଡିଓ କନଫରେନସିଂ ଯୋଗେ ବାଲେଶ୍ୱର ଷ୍ଟେସନରୁ ହରିଦ୍ୱାର-ଋଷିକେଶକୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଇଆରସିଟିସି ସହଯୋଗରେ ୨୦୧୬ରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏ ପର୍ଯ୍ୟନ୍ତ ୧୨ଟି ତୀର୍ଥଯାତ୍ରୀ ଦଳ ଦେଶର ବିଭିନ୍ନ ତୀର୍ଥ ସ୍ଥାନ ବୁଲି ଦେଖିବାର ସୁଯୋଗ ପାଇଛନ୍ତି ।

ଆଜି ବାଲେଶ୍ୱର ଷ୍ଟେସନରୁ ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ୯୭୦ ଜଣ ତୀର୍ଥଯାତ୍ରୀକୁ ନେଇ ଏକ ସ୍ୱତନ୍ତ୍ର ଟ୍ରେନ୍ ହରିଦ୍ୱାର ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଯାତ୍ରୀମାନଙ୍କୁ ସହାୟତା ଯୋଗାିବା ପାଇଁ ୩୦ ଜଣ ଏସକୋର୍ଟ ଅଫିସର ମଧ୍ୟ ଯାଇଛନ୍ତି ।

ତୀର୍ଥଯାତ୍ରାରେ ଯାଉଥିବା ଯାତ୍ରୀମାନେ ସରକାରଙ୍କ ଏହି କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ବାଲେଶ୍ୱର ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଧାୟକମାନେ ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କୁ ବିଦାୟ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବରିଷ୍ଠମାନଙ୍କୁ ଯାତ୍ରା ଶୁଭକାମନା ଜଣାଇଥିଲେ ।

ସୂଚନାଯୋଗ୍ୟ, ୨୦୧୬ ରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଂଚଳର ପ୍ରାୟ ୧୨ ହଜାର ବରିଷ୍ଠ ନାଗରିକମାନେ ତୀର୍ଥ ଭ୍ରମଣର ସୁଯୋଗ ପାଇଛନ୍ତି । ୨୦୧୯-୨୦ ବର୍ଷରେ ଆଉ ତିନିଗୋଟି ତୀର୍ଥଯାତ୍ରୀ ଦଳ ବ୍ରହ୍ମପୁରରୁ ରାମେଶ୍ୱର-ମଦୁରାଇ (ଜାନୁୟାରୀ ୨୦୨୦), ସମ୍ବଲପୁରରୁ ଆଗ୍ରା-ମଥୁରା-ବୃନ୍ଦାବନ(ଫେବୃୟାର ୨୦୨୦), ଭୁବନେଶ୍ୱର ଆହ୍ଲାବାଦ-ବନାରସ(ଫେବୃୟାର ୨୦୨୦)କୁ ଭ୍ରମଣର ସୁଯୋଗ ପାଇପାରିବ ।

ଲୋକସେବା ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଉନ୍ନୟନ କମିଶନର, ପର୍ଯ୍ୟଟନ ସଚିବ ପ୍ରମୁଖ ଥିଲେ ।