ଦଶାହ କାମ ସାରି ଫେରୁଥିଲେ : ପିକ୍ଅପ୍ ଭ୍ୟାନ ଓଲଟି ୧୨ ମୃତ, ଅନେକ ଗୁରୁତର

କୋରାପୁଟ : କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ୍ ମୁରତାହାଣ୍ଡିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମୁରତାହାଣ୍ଡି ନିକଟସ୍ଥ ସିନ୍ଧି ଗାଁ ନିକଟରେ ଏକ ପିକ୍‌-ଅପ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ବ୍ୟକ୍ତି ଗୁରୁତର ହେବା ପରେ ସେମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି।

ସୂଚନା ଅନୁସାରେ ପଡୋଶୀ ଛତିଶଗଡ଼ର ସିନ୍ଧିଗାଁ ଗାଁରୁ ପ୍ରାୟ ୩୦ ଜଣ ଲୋକ ଏକ ପିକ୍‌-ଅପ୍‌ ଭ୍ୟାନ୍‌ରେ କୋଟପାଡ଼ ଅଂଚଳର କୁଚଲା ଗାଁକୁ ଆସିଥିଲେ। ଏମାନେ ଦଶାହ କାମ ଶେଷ କରି ଅପରାହ୍ନରେ ଘରକୁ ଫେରୁଥିବା ବେଳେ ପିକ୍‌-ଅପ୍‌ଟିର ଚାଳକ ମୁର୍ତ୍ତାହାଣ୍ଡି ଠାରେ ଭାରସାମ୍ୟ ହରାଇଥିଲେ। ଫଳରେ ପିକ୍‌-ଅପ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ରିପୋର୍ଟ ଲେଖାଯିବା ବେଳକୁ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଅନ୍ୟ ଆହତମାନଙ୍କୁ କୋଟପାଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର‌ରେ ଭର୍ତ୍ତି କରାଯାଇଛି।
ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ କୋଟପାଡ଼ ପୁଲିସ ଘଟଣାସ୍ଥଳକୁ ପହଂଚିଛି। ମୃତଦେହ ଉଦ୍ଧାର କରିଥିବା ବେଳେ ଆହତମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରିଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ପିକ୍‌-ଅପ୍‌ ଭ୍ୟାନ୍‌କୁ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି।

pick up van accident in koraput 12 death