ଓଟିଇଟି ପରୀକ୍ଷା ଅନୁମତି ପାଇଁ ଦାବି ଘଟଣା:୩ଦିନ ହୋଇଥିଲେ ବି ଚୁପ୍ ଅଛି ପ୍ରଶାସନ

ବାଲେଶ୍ଵର : ବାଲେଶ୍ଵର ଫକୀରମୋହନ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଧାରଣା ୩ୟ ଦିନରେ ପହଁଚିଛି। ଶତାଧିକ ବି.ଇଡି ଏବଂ ଏମ.ଇଡିର ଛାତ୍ରଛାତ୍ରୀ ୩ଦିନ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ଧାରଣା ଦେଇଛନ୍ତି। ଶିକ୍ଷକ ପ୍ରବେଶିକା ପରୀକ୍ଷା ତଥା ଓଟିଇଟି ପରୀକ୍ଷା ପାଇଁ ସରକାର ସେମାନଙ୍କୁ ଅନୁମତି ନଦେବା ନେଇ ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଛନ୍ତି। 

ବାଲେଶ୍ଵର ଜିଲ୍ଲା ଫକୀରମୋହନ ବିଶ୍ଵବିଦ୍ୟାଳୟର ବି.ଇଡି ଏବଂ ଏମ.ଇଡିର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷକ ପ୍ରବେଶିକା ପରୀକ୍ଷା ତଥା ଓଟିଇଟି ପରୀକ୍ଷା ପାଇଁ ବ୍ୟବସ୍ଥା ନାହିଁ। ତେଣୁ ସେମାନଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ଦେବାକୁ ଛାତ୍ରଛାତ୍ରୀମାନେ ବାରମ୍ଵାର ପ୍ରଶାସନଙ୍କୁ ଜଣାଇଛନ୍ତି। ସରକାରୀ ଅଧିକାରୀମାନେ ଏହି ସମସ୍ୟାର ସମାଧାନ କରିବେ ବୋଲି ୪ ବର୍ଷ ଧରି ସେମାନଙ୍କୁ ଆଶ୍ଵାସନା ଦେଇ ଆସୁଥିଲେ ମଧ୍ୟ ଏଯାଏଁ କୌଣସି ସମସ୍ୟାର ସମାଧାନ ହୋଇ ନାହିଁ। ଏପରିକି ଅଧିକାରୀ ଓ ପ୍ରଶାସନ ମୌଖିକ ଭାବରେ କହୁଥିଲେ ମଧ୍ୟ କୌଣସି ଲିଖିତ ପ୍ରତିଶୃତି ଦେଉ ନାହିଁ। ଫଳରେ ଛାତ୍ରଛାତ୍ରୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏନେଇ ସେମାନେ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ। ୩ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି ପୁଣି ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ।

ସମସ୍ୟାର ସମାଧାନ ପାଇଁ ନେଇଥିବା ୩ ଦିନ ପୁରିଥିଲେ ମଧ୍ୟ ଜିଲ୍ଲାପାଳ ତାଙ୍କ ପ୍ରତିଶୃତି ପାଳନ ନକରିବା ହେତୁ ଛାତ୍ରଛାତ୍ରୀମାନେ ପୁଣି ଧାରଣା ଦେଇଛନ୍ତି। ଫଳରେ ଶତାଧିକ ବି.ଇଡି ଏବଂ ଏମ.ଇଡିର ଛାତ୍ରଛାତ୍ରୀ ରାତି ତମାମ ଜିଲ୍ଲାପାଳ କାର୍ଯ୍ୟାଳୟ ବାହାରେ ଧାରଣା ଦେଇଛନ୍ତି। ତେବେ ଏନେଇ ଜିଲ୍ଲପାଳ କିମ୍ବା ଉପଜିଲ୍ଲାପାଳଙ୍କ କୋଣସି ପ୍ରତିକ୍ରିୟା ମିଳିପାରି ନାହିଁ।