ହ୍ରାସ ପାଇଲା ପେଟ୍ରୋଲ ଏବଂ ଡିଜେଲ୍ ଦର

ନୂଆଦିଲ୍ଲୀ: ନିର୍ବାଚନର ଫଳାଫଳ ଆସିବାପରେ ଆଜି ପ୍ରଥମ ଥରଲାଗି ବଢିଥିବା ପେଟ୍ରୋଲ ଏବଂ ଡିଜେଲ୍ ଦର ହ୍ରାସ ପାଇଛି । ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୬ ପଇସା ଏବଂ ଡିଜେଲ ଲିଟର ପିଛା ୬ ପଇସା ହ୍ରାସ ପାଇଥିବା ଜଣାଯାଇଛି। ଏହାଫଳରେ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ମୂଲ୍ୟ ୭୧.୮୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୬୬.୬୩ ଟଙ୍କା ହୋଇଥିବା ଜଣାଯାଇଛି ।

ଏଠାରେ ସୂଚନାଯୋଗ୍ୟ ଯେ ଲୋକସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶେଷ ହେବା ପରେ ପେଟ୍ରୋଲ ଏବଂ ଡିଜେଲ ଦର କ୍ରମାଗତ ଭାବରେ ବଢ଼ି ଚାଲିଥିଲା । ଆଜି ଏଥିରେ ହ୍ରାସ ଘଟିଛି । ବିଗତ ୧୦ ଦିନ ମଧ୍ୟରେ ପେଟ୍ରୋଲ ଦର ୮୩ ପଇସା ବୃଦ୍ଧି ପାଇଥିଲା । ଦିଲ୍ଲୀ ସମେତ ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ୬ ପଇସା ହ୍ରାସ ପାଇଛି । ବିଶେଷଜ୍ଞମାନେ ଆଶା ପ୍ରକାଶ କରିଛନ୍ତି ଯେ ଏହି ଦର ଆଗକୁ ଆହୁରି ହ୍ରାସ ପାଇବ।